ନୂଆପଡା, ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳ । ଏହି ସହର ଜିଲ୍ଲାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ । ଫଳରେ ଏହି ସହର ଆଜି ମଧ୍ୟ ବ୍ୟବସାୟ ସହ ଅନ୍ୟାନ୍ୟ କ୍ଷେତ୍ରରେ ସୁପରିଚିତ । ଏପରିକି ଏହି ସହରରେ ନୂଆପଡା ଜିଲ୍ଲା ଗଠନ ହେବା ପୂର୍ବରୁ ଜିଲାସ୍ତରୀୟ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକ ରହିଛି । ହେଲେ ପରିତାପର ବିଷୟ ଏହି ସହରରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ରାଜା ଆର୍ତତ୍ରାଣ ହାଇସ୍କୁଲର ଖେଳ ପଡ଼ିଆକୁ ତତକାଳୀନ ଉପଜିଲାପାଳ ସରୋଜ କୁମାର ଝା ବସଷ୍ଟାଣ୍ଡ ନିର୍ମାଣ କରି ଦୀର୍ଘ ବର୍ଷ ଧରି ଚାଲି ଆସୁଥିଲା । ହେଲେ କୌଣସି କାରଣବଶତଃ ତତ୍କାଳୀନ ଜିଲ୍ଲାପାଳ ଜୟକୁମାର ହିଁ ଏହି ବସଷ୍ଟାଣ୍ଡକୁ ସ୍ଥାନାନ୍ତର କରି ବ୍ଲକ ଛକ ନିକଟରେ ଥିବା ପ୍ୟାରେଡ୍ ପଡିଆକୁ ବସଷ୍ଟାଣ୍ଡ ରୂପେ ତିଆରି କଲେ । ହେଲେ ବସଷ୍ଟାଣ୍ଡ ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ ଅବ୍ୟବସ୍ଥାରେ ଗତି କରୁଛି । ଏପରିକି ଏଠାରେ ବିଦ୍ୟୁତ୍ ସୁବିଧା ଠିକରେ ନଥିବା ବେଳେ ସାଧାରଣ ଯାତ୍ରୀ ଆତଙ୍କିତ ଅବସ୍ଥାରେ ରହିଥାନ୍ତି । ପୁଣି ବିଶେଷ କରି ମହିଳା ଯାତ୍ରୀମାନେ ସନ୍ଧ୍ୟା ହେଲେ ଭୟ କରୁଥିବା ବେଳେ ସନ୍ଧ୍ୟା ସମୟରେ ଏହି ବସଷ୍ଟାଣ୍ଡ ଏକ ପ୍ରକାର ଖାଁ ଖାଁ ହୋଇପଡୁଛି । ଏହାସହ ଏହି ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗାର ନଥିବା ବେଳେ ପରିଶ୍ରାଗାର ମଧ୍ୟ ନାହିଁ । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଭିନ୍ନ ସୁବିଧା ସୁଯୋଗ ରହିଥିବା ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଖଡିଆଳ ବାସୀ ଦାବୀ ଜଣାଇଛନ୍ତି ।