
ଧର୍ମଶାଳା, ସ୍ଥଳ ଭାଗକୁ ମାଡି ଆସୁଛି ବାତ୍ୟା ଜୱାଦ । ସତର୍କ ରହିବାକୁ ଓ ଫସଲ ଅମଳ କରିବାକୁ ବାରମ୍ବାର ପାଣିପାଗ ପକ୍ଷରୁ ସୂଚନା ଦିଆଯାଉଛି । ବିଶେଷ କରି ଚାଷୀମାନଙ୍କୁ ଫସଲ ବିଲରୁ ଅମଳ କରିବାକୁ ପରାମର୍ଶ ଦିଆଯାଉଛି । ହେଲେ ଚାଷୀ କୂଳକୁ ସବୁ ବେଳେ ବିପଦ ସାଜୁଛି ବର୍ଷା । ମୁଣ୍ଡ ଝାଳ ତୁଣ୍ଡେ ମାରି ପରିଶ୍ରମ କରି କ୍ଷେତରେ ଧାନ ଫସଲ କରିଛି । ହେଲେ ଅମଳ ପୂର୍ବରୁ ସବୁ ଉଜୁଡି ଯିବାର ସମ୍ଭାବନା ରହିଛି । ବର୍ଷକର ଫସଲ ଅମଳ ନ କରିପାରିବାରୁ ଏବେ ସେମାନଙ୍କୁ ହତାଶ ହେବାକୁ ପଡୁଛି । ଯାଜପୁର ଜିଲାରେ ବର୍ଷାର ପରିମାଣ ବଢିବ । ଯାହାକୁ ନେଇ ଧାନଚାଷୀ ଚିନ୍ତିତ । ଜିଲାର ଧର୍ମଶାଳା ଓ ରସୁଲପୁର ବ୍ଳକର ହଜାର ହଜାର ହେକ୍ଟର ହେକ୍ଟର ଜମିରେ ଏବେ ବି ଧାନ କଟା ନ ହୋଇ ପଡି ରହିଛି । ଏକା ସମୟରେ ସମେସ୍ତ ଅମଳ କରିବାରେ ବ୍ୟସ୍ତ । ହେଲେ ଠିକ୍ ଏହି ସମୟରେ ମୁଲିଆ ସାଙ୍ଗକୁ କଟା ଯନ୍ତ୍ର ମିଳୁ ନାହିଁ । ଯାହାବି ମିଳୁଛି ତାହା ପୁଣି ଦୁଇ ଗୁଣା ଦର । ତେବେ ନିଜ ପରିବାର ସହ ଯେତିକି ପାରୁଛି ସେତିକି ଧାନ କାଟୁଛି ଚାଷୀ । ଏବେ ବି କ୍ଷେତରେ ଅଧାରୁ ଅଧିକ ଧାନ ପଡିରହିଛି । ଅନ୍ୟପକ୍ଷରେ ବର୍ଷକର ପରିଶ୍ରମ ପାଣିରେ ପଡିବାକୁ ଯାଉଛି । ବିଭିନ୍ନ ଉପାୟରୁ ଋଣ କରି ଧାନ ଫସଲ କରିଥିଲା । ତେବେ ଅମଳ ପୂର୍ବରୁ ଏସବୁ ଆଖି ଆଗରେ ଉଜୁଡିବା ସମ୍ଭାବନା ରହିଥିବାରୁ ଚାଷୀ ହତାଷ ହୋଇପଡିଛି । ଋଣ କିପରି ଶୁଝିବ ଯାହାକୁ ନେଇ ଉପାୟଶୂନ୍ୟ ହୋଇଛି ଚାଷୀ ।