ଭୁୁବନେଶ୍ୱର, ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଜୱାଦ’ ଗତ ୬ ଘଂଟା ଧରି ଘଂଟାପ୍ରତି ୬ କିଲୋମିଟର ବେଗରେ ଉତର ଦିଗକୁ ଗତି କରି ଆଜି ପୂର୍ବାହ୍ନ ସୁଦ୍ଧା ଦକ୍ଷିଣପୂର୍ବ ବିଶାଖାପାଟଣାରୁ ୨୧୦ କିଲୋମିଟର, ଗୋପାଳପୁର ଦକ୍ଷିଣରୁ ୩୨୦ କିଲୋମିଟର, ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବକୁ ୩୯୦ କିଲୋମିଟର ଏବଂ ପାରାଦୀପର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗରୁ ସୂଚନା ମିଳିଛି । ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତ ରୂପେ ଆଗାମୀ ୧୨ ଘଂଟା ମଧ୍ୟରେ ଉତର-ଉତରପୂର୍ବ ଆଡ଼କୁ ଗତି କରି ଓଡ଼ିଶା ଉପକୂଳ ଦେଇ ଡିସେମ୍ବର ୫ ତାରିଖ ମଧ୍ୟହ୍ନ ବେଳକୁ ପୁରୀ ଉପକୂଳ ସମୁଦ୍ର ପାଖରେ ପହଂଚିବ । ସେଠାରୁ ଏହା ଅଧିକ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଗତି କରିବ ।
ବାତ୍ୟା ‘ଜୱାଦ’କୁ ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବାତ୍ୟାର ପ୍ରଭାବରେ କମ୍ ପବନ ବହିବ, ମାତ୍ର ପ୍ରବଳ ବର୍ଷା ହେବ । ସେ କହିଛନ୍ତି ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଂଚିବ । ତୀବ୍ରତା ହ୍ରାସ ପାଉଛି । ପୁରୀରେ ପହଂଚିଲା ବେଳକୁ ଅବପାତରେ ପରିଣତ ହେବ । ଏହି ସମୟରେ ଘଂଟାକୁ ୬୦ରୁ ୭୦ କିମି ପବନ ରହିବ । ସ୍ଥଳଭାଗରେ ପଶି ସମୁଦ୍ରକୁ ଚାଲିଯିବ । ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡ଼କୁ ଯିବ । ରିକର୍ଭ କରି ବେଗ କମିବ ।
ଗଞ୍ଜାମ, ପୁରୀ, ଜଗତସିଂହପୁରଓ ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହୋଇପାରେ । ଭିତିଭୂମି କ୍ଷତି ହେବାର ସମ୍ଭାବନା କମ୍ ରହିଛି । ତେବେ ଫସଲ ନଷ୍ଟ ହେବ , ଧାନ ପବନରେ ଶୋଇଯିବ ଓ ପନିପରିବା କ୍ଷତି ହେବ ।
ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିସାରିଥିବ । ରାତି ସୁଦ୍ଧା ପ୍ରଭାବ କମିଯିବ । ବର୍ଷା ଦେଖି ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ । ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ୱାଭାବିକଠାରୁ ଅଧା ମିଟର ଅଧିକ ଉଚ୍ଚର ଜୁଆର ଆସିବ । ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୦୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଓଡ୍ରାଫ, ଏନଡିଆରଫ ମୁତୟନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡ଼ିବା ପାଇଁ କୁହାଯାଉଛି । ଗଛ ଭାଙ୍ଗିବା ସମ୍ଭାବନା ଅଛି । ପବନ ସମୟରେ କେହି ଘରୁ ବାହାରନ୍ତୁ ନାହିଁ । ଘର ପାଖ କୋଠା ଘରରେ ରୁହନ୍ତୁ । ବାତ୍ୟା ସରିବା ପରେ ଚାଷ ଜନିତ କ୍ଷତିକୁ ପ୍ରାଥମିକତା ଭିତିରେ ୭ ଦିନ ଭିତରେ ଆକଳନ କରାଯିବ ବୋଲି ଏସଆରସି କହିଛନ୍ତି ।