
ପଟ୍ଟାମୁଣ୍ଡାଇ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀକୂଳ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହଜାର ହଜାର ହେକ୍ଟର ଚାଷଜମିର ଧାନଫସଲ ବିଲରେ ଅମଳ ଅପେକ୍ଷାରେ ଥିବାବେଳେ ବାତ୍ୟା ପରିସ୍ଥିତିକୁ ନେଇ ଫସଲ ଉଜୁଡିଯିବାର ଭୟ ଚାଷୀମାନଙ୍କୁ ଘାରିଛି । ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ଆକଳନକୁ ନେଇ ପ୍ରଭାବିତ ଅଂଚଳର ସଠିକ୍ ଚିତ୍ର ପ୍ରଦାନ କରାଯାଉନଥିବାରୁ ଚାଷୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଚଳିତ ବର୍ଷ ଖରିଫଋତୁ ଆରମ୍ଭରେ ଅନାବୃଷ୍ଟି ଓ ପରେ ପରେ ଲଘୁଚାପଜନିତ ଲଗାଣବର୍ଷା ଚାଷୀକୂଳକୁ ଅଡୁଆ ପରିସ୍ଥିତିରେ ପକାଇଥିଲା । ବହୁ କଷ୍ଟରେ ଖର୍ଚ୍ଚାନ୍ତ ହୋଇ ବିଲରେ ରୁଆପୋତା କରିଥିବା ଚାଷୀ ଫସଲ ଗଣ୍ଡାକ ସୁରକ୍ଷିତ ଭାବେ ଘରକୁ ଆଣିବା ଯୋଜନାରେ ଥିବାବେଳେ ଲଘୁଚାପଜନିତ ଉଦବୃତ ବର୍ଷାଜଳ ଏବେ ମଧ୍ୟ ଚାଷଜମିରୁ ଶୁଖିନାହିଁ । ବାରମ୍ବାର ଲଘୁଚାପଜନିତ ବର୍ଷା ଓ ପବନରେ ଅଧିକାଂଶ ବିଲରେ ଧାନଫସଲ ତଳେ ଶୋଇଯାଇଥିବାରୁ ପାଚିଲା ଧାନରେ ପାଣି ଲାଗି ଅଧିକାଂଶ ଗଜା ହୋଇସାରିଲାଣି ।
ଅନ୍ୟପକ୍ଷରେ ଘଂଟାକୁ ୯୦ରୁ ୧୦୦ କି.ମି. ବେଗରେ ପବନ ବହିବା କୁହାଯାଇଥିବାରୁ ଚାଷୀକୂଳ ହତାଶ ହୋଇପଡିଛି । ପଟ୍ଟାମୁଣ୍ଡାଇ ଅଚଂଳରେ ଚାଷ ହୋଇଥିବା ୫୦ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଚାଷଜମିର ଧାନଫସଲ ଗୋଟାଏ ହେଲେ ଚାଷୀ ଘରକୁ ଆଣିବାକୁ ସକ୍ଷମ ହୋଇନାହିଁ । ଏପରିସ୍ଥଳେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମନରେ ଛନକା ପଶିଛି । ଯଦି ବର୍ଷା ଓ ପବନ ଉଭୟ ଏକା ସଙ୍ଗରେ ହୁଏ ତାହା ହେଲେ ପଟ୍ଟାମୁଣ୍ଡାଇ ଭେଡା ଅଂଚଳର ସମସ୍ତ ଧାନଫସଲ ସମୂଳେ ନଷ୍ଟ ହୋଇଯିବ । ଅନ୍ୟପକ୍ଷରେ ଧୋୟା ଓ ଭେଡା ଅଂଚଳର ଶହ ଶହ ଏକର ଜମିରେ ବୁଣା ଯାଇଥିବା ବିରି ଫସଲ ସହିତ ପନିପରିବା ଫସଲ ମଧ୍ୟ ସମୂଳେ ନଷ୍ଟ ହୋଇଯିବ ଏଥିରେ ସନ୍ଦେହର ଅବକାଶ ନାହିଁ । ଅପରପକ୍ଷରେ ବାତ୍ୟାର ଦିଗ ଓ ଗତି ସମ୍ପର୍କରେ ସଠିକ୍ ଆକଳନ କରାଯାଇପାରିନଥିବାରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ବାତ୍ୟା ମୁକାବିଲା ସଠିକ ଢଙ୍ଗରେ କରିବାକୁ ନେଇ ପ୍ରଶାସନ ଅଡୁଆରେ ପଡିଛି ।
ଏନେଇ ପଟ୍ଟାମୁଣ୍ଡାଇ ବ୍ଲକ ଓ ତହସିଲରେ ୨୪ ଘଂଟିଅ। କଟ୍ରୋଂଲ ରୁମ୍ ଖୋଲାଯାଇଛି । ତହସିଲଦାର ଦିଲ୍ଲୀପ କୁମାର ସେଠୀ, ବିଡିଓ ଭରତ ପରିଡା ବାତ୍ୟାର ମୁକାବିଲା ପାଇଁ ସଜାଗ ରହିଥିବା ଜଣାପଡିଛି । ପଟ୍ଟାମୁଣ୍ଡାଇ ପୌରପରିଷଦ ନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କର୍ମଚାରୀମାନଙ୍କୁ ସଜାଗ ରଖିଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ସଜାଗ ଦୃଷ୍ଟି ରଖାଯାଇଥିବାବେଳେ ଆଇଆଇସି ତପନ କୁମାର ରାଉତ ପୋଲିସ ଫୋର୍ସ ସହିତ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।