ଭୁବନେଶ୍ୱର, ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଜୱାଦ’ । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ‘ଜୱାଦ’ର କୋପ ବାତ୍ୟା ‘ଗୁଲାବ’ ଠାରୁ ଅଧିକ ଏବଂ ‘ତିତଲି’ ଠାରୁ କମ୍ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶୁକ୍ରବାର ପୂର୍ବାହ୍ନରେ ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ‘ଜୱାଦ’ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି । ୪ ତାରିଖ ସନ୍ଧ୍ୟା ପରେ ଏହାର ଦିଗ ପରିବର୍ତନ ହେବ ।
ଆଇଏମ୍ଡି ଡିଜିଙ୍କ ସୂଚନା ଅନୁଯାୟୀ, ୪ ତାରିଖ ସନ୍ଧ୍ୟାରୁ ବାତ୍ୟା ଉତର ଓ ଉତର-ପୂର୍ବ ଦିଗକୁ ମୁହାଁଇବ । ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତୀ ହେବ । ଉପକୂଳ ନିକଟବର୍ତୀ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ । ଉପକୂଳ ଛୁଇଁଲା ପରେ ଏହା କ୍ରମେ ଦୁର୍ବଳ ହେବ । ଏହା ପ୍ରଭାବରେ ଆଜି ସନ୍ଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତାକାଲି ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ ।
ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତାକାଲି ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଟିକେ ଉଚ୍ଚ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଉଚ୍ଚ ଜୁଆର ଆସିଥାଏ । ବାତ୍ୟା ଯୋଗୁ ଏହା ଆଉ ୧ ମିଟର ବଢ଼ିବ । ତେଣୁ ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ଥିବାରୁ ସମୁଦ୍ର ନିକଟବର୍ତୀ ଲୋକେ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପରାମର୍ଶ ଦିଆଯାଇଛି ।
ବାତ୍ୟାର ପ୍ରଭାବ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ରହିବ । ସେଥିପାଇଁ ଆଜି ଅପରାହ୍ନରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ ଓ ଆସନ୍ତାକାଲି ମଧ୍ୟାହ୍ନରେ ଶେଷ ହେବ । ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପିଇବା ପାଣି ସାଇତି ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ‘ଜୱାଦ’ ମୁକାବିଲା ନେଇ ଏନ୍ଡିଅରଏଫ୍ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ଏନ୍ଡିଆରଏଫ୍ ଡିଜି ଅତୁଲ କରୱାଲ କହିଛନ୍ତି, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗକୁ ୪୬ଟି ଏନ୍ଡିଆରଏଫ୍ ଟିମ୍ ପଠାଯାଇଛି । ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍ ରଖାଯାଇଛି । ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡ଼ିଲେ ଆଇଡିଏସ୍ ବି ପ୍ରସ୍ତୁତ ରହିଛି ।