
ଭୁବନେଶ୍ୱର, ଉତମ ପ୍ରଶାସନ (ଗୁଡ ଗଭର୍ନାନ୍ସ୍ ) ପାଇଁ ଶ୍ରେଷ୍ଠ ପ୍ରାମାଣିତ (ବେଷ୍ଟ ପ୍ରାକ୍ଟିସ୍) ନମୁନା ମୋଡ଼େଲ (ଇନିଟିଏଟିଭ୍) ଗୁଡିକର ଅନ୍ୟତ୍ର ପ୍ରୟୋଗ ଶୀର୍ଷକ ଆଂଚଳିକ ସମ୍ମେଳନ ଶୁକ୍ରବାର ରାଜ୍ୟ ଲୋକସେବା ଭବନ କନଭେନସନ୍ ସେଂଟରଠାରେ ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ଏହି ସମ୍ମେଳନ ଆୟୋଜିତ ହୋଇଛି ।
ଏଥିରେ ଭାରତ ଉତର-ପୂର୍ବ ଏବଂ ପୂର୍ବାଂଚର ୧୪ ଟି ରାଜ୍ୟ ଯୋଗ ଦେଇଛନ୍ତି । ସମ୍ମେଳନଟି ଉଭୟ ବାସ୍ତବ ଏବଂ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ହେଉଛି । ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ୍, ନାଗାଲ୍ୟାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମ ବଙ୍ଗଳା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରୁ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଛନ୍ତି ।
ଚା ଉଦଘାଟନୀ ପର୍ଯ୍ୟାୟରେ ଯୋଗଦେଇ ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ଶାସନ ସଚିବ ସଂଜୟ ସିଂ କହିଥିଲେ ଯେ ଓଡ଼ିଶା ଅନେକ ଶ୍ରେଷ୍ଠ ପ୍ରାମାଣିତ ନମୁନାର ଏନ୍ତୁଡିଶାଳ । ଓଡ଼ିଶାର ‘ଓସ୍ୱାନ୍,’ ‘ଇ-ଗଭର୍ନାନ୍ସ୍,’ ‘ଭାରତନେଟ୍-୨ୟ ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ,’ ‘ମୋ ସରକାର,’ ସରକାରୀ ସେବା ପାଇବାର ଅଧିକାର ଆଇନ୍ ବଳରେ କରାଯାଇଥିବା ‘ଅନ୍ ଲାଇନ୍ ସେବା ଯୋଗାଣ,’ ‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା’ ଆଦି ଶ୍ରେଷ୍ଠ ପ୍ରାମାଣିତ ମୋଡ଼େଲ ଭାବେ ଚିହ୍ନଟ ହୋଇଛି । ଶ୍ରୀ ସିଂ ଆହୁରି ମଧ୍ୟ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରାମାଣିତ ପଦ୍ଧତି ଗୁଡିକୁ ଉତମ ପ୍ରଶାସନିକ ବ୍ୟବସ୍ଥା ସହ ସଂଯୋଜିତ କରି ଏହାର ବହୁମୁଖୀ ସୁଫଳ ନାଗରିକଙ୍କ ନିକଟରେ ପହଂଚାଇବା ନିମନ୍ତେ ଭାରତ ସରକାରଙ୍କ ତରଫରୁ ଏପରି ଆଂଚଳିକ ସମ୍ମେଳନର ଆୟୋଜନ କରାଯାଉଛି ।
ସମ୍ମେଳନକୁ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ସମୟର ପରିବର୍ତନ ସହ ସରକାରୀ ସେବା ଯୋଗାଣ ବାବଦରେ ନାଗରିକମାନଙ୍କର ଆଶା ଓ ଆକାଂକ୍ଷା ବହୁ ପରିମାଣରେ ବୃଦ୍ଧି ପାଇଛି । ବର୍ତମାନର ପିଢ଼ି ଘରୋଇ ସଂସ୍ଥା ସେବା ଭଳି ସରକାରୀ ସେବା ତୁରନ୍ତ ପାଇବାକୁ ଆଗ୍ରହୀ । ଲୋକମାନଙ୍କୁ ସମୟାନୁବନ୍ଧିତ ଭାବେ ସଠିକ୍ ସେବା ଯୋଗାଇବା ସରକାରୀ ବ୍ୟବସ୍ଥାର ମୌଳିକ ଲକ୍ଷ୍ୟ ଓ କର୍ତବ୍ୟ । ଏଥି ପାଇଁ ବୈଷୟିକ କୌଶଳର ପ୍ରୟୋଗ ସହ ବିଭିନ୍ନ ରାଜ୍ୟ ମାନଙ୍କ ମଧ୍ୟରେ ଅଭିଜ୍ଞତାର ଆଦାନ ପ୍ରଦାନ ଏକାନ୍ତ ଜରୁରୀ । ଆନ୍ତଃ-ରାଜ୍ୟ ଆଂଚଳିକ ସମ୍ମେଳନ ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ଓଡ଼ିଶାରେ ଶ୍ରେଷ୍ଠ ପ୍ରାମାଣିତ ମୋଡ଼େଲ ଗୁଡିକୁ ଆପଣମାନଙ୍କୁ ଅବଗତ କରାଇବା ସହ ବର୍ତମାନ ଓଡ଼ିଶାରେ ଆୟୋଜିତ ହେଉଥିବା ଜାତୀୟ ଏବଂ ଆନ୍ତର୍ଜାତୀୟ ଘଟଣାବଳୀର ପ୍ରତ୍ୟେକ୍ଷ ଅନୁଭୁତି ଆପଣମାନଙ୍କୁ ଏହି ସମ୍ମେଳନ କାଳରେ ମିଳିବ ।
ଚା ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଭି ଶ୍ରୀନିବାସ ଉଦ୍ଘାଟନନୀ ପର୍ଯ୍ୟାୟରେ ସ୍ୱାଗତ ଅବିଭାଷଣ ସେବା ସହ ସମ୍ମେଳନର ଉଦ୍ଦେଶ୍ୟ ବିଷୟ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ ପ୍ରଶାସନ ଓ ସେବା ଯୋଗାଣରେ ଡ଼ିଜିଟାଲ୍ ମୋଡ଼ର ପ୍ରୟୋଗରେ ଓଡ଼ିଶା ଏକ ଆଗୁଆ ରାଜ୍ୟ । ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା କହିଥିଲେ ଯେ ଶ୍ରେଷ୍ଠ ପ୍ରାମାଣିତ ପଦ୍ଧତି ଗୁଡିକର ସଂପ୍ରସାରଣ ଏବଂ ପୁନଃ ପ୍ରୟୋଗ ନିମନ୍ତେ ଏକ ସ୍ଥାୟୀ ଆନୁଷ୍ଠାନିକ ବ୍ୟବସ୍ଥାର ଆବଶ୍ୟକତା ଅଛି । ଏହି ସମ୍ମେଳନ ମାଧ୍ୟମରେ ଏପରି ଆନୁଷ୍ଠାନିକ ବ୍ୟବସ୍ଥା ସୃଷ୍ଟି କରାଯାଇ ପାରିବ । ଦୁଇ ଦିନିଆ ଏହି ସମ୍ମେଳନଟି ସମୁଦାୟ ୮ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।