ଭୁବନେଶ୍ୱର,ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାନସଭାରେ ବିଜେପି ବିଧାୟକ ମାନେ ଦାବି କରୁଥିବା ବେଳେ ଗୃହ ବାହାରେ ମଧ୍ୟ ବିଜେପି କର୍ମୀ ମାନେ ପ୍ରତିବାଦ ଜାରୀ ରଖିଛନ୍ତି ।
ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଘଂଟ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଦରୁ ଉଠାଇବା ପାଇଁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି । ମାଷ୍ଟରକ୍ୟାଂଟିନ ଛକଠାରେ ବିଜେପି କର୍ମୀମାନେ ଘଂଟ ବଜାଇ ଏହି ପ୍ରତିବାଦ କରିଛନ୍ତି ।
ବିଜେଡି ଶାସନରେ ମହିଳା ଅସୁରକ୍ଷିତ ବୋଲି ନାରା ଦେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ କହିଛନ୍ତି ଯେ ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ(ଗୃହ ରାଷ୍ଟ୍ରମନ୍ତ୍ରୀ) ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯିବା ଓ ସିବିଆଇ ତଦନ୍ତ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ।