
ଭୁବନେଶ୍ୱର, ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ମମିତା ମେହେର ହତ୍ୟା ମାମଲାରେ ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଟ୍ଟଗୋଳ କାରଣରୁ ବିଧାନସଭାରେ ପ୍ରଥମାର୍ଧ ବୈଠକରେ କୌଣସି କାମ ହୋଇ ପାରି ନାହିଁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଦୁଇ ଥର ମୁଲତବୀ ରଖିଥିଲେ । ବାଚସ୍ପତି ପ୍ରଥମେ ୧୧.୩୦ ଯା ଏ ପରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
ଆଜି ୧୦.୩୦ଟାରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲ।। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ମମିତା ମେହେର ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲୋ । ବାଚସ୍ପତି ସେମାନଙ୍କୁ ଏପରି ନ କରିବାକୁ ଅନୁରୋଧ କରିଥିଲେ । ହେଲେ ବିରୋଧୀ ବିଧାୟକ ମାନେ ତାଙ୍କର କଥା ଶୁଣି ନ ଥିଲେ । ତେଣୁ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରଖିଥିଲେ ।
ଏହା ପରେ ୧୧.୩୦ରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ପୁଣି ସେହି ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ବିରୋଧୀ ଦଳର ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ । ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ ସମସ୍ତେ ନିଜ ଆସନକୁ ଯାଇ ସେଠାରେ ଯାହା କହିବାର ଅଛି କହନ୍ତୁ । ତାହା ରେକର୍ଡ ହେବ । ମାତ୍ର ବିରୋଧୀ ବିଧାୟକ ମାନେ ତାଙ୍କ କଥାକୁ ନ ଶୁଣି ପାଟିତୁଣ୍ଡ ଜାରୀ ରଖିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୧.୩୨ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଏହି କାରଣରୁ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ, ଶୂନ୍ୟକାଳ ଆଦି କୌଣସି କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ଆଜି ପ୍ରଥମାର୍ଧ ମାତ୍ର ତିନି ମିନିଟରୁ କମ ସମୟ ପାଇଁ ଚାଲି ପାରିଥିଲା ।