ଭୁବନେଶ୍ୱର, ସରକାର ସମସ୍ୟା ସମାଧାନ କରିନଥିବାରୁ ବିଧାନସଭା ଆଗରେ ଆଜି ବିଶାଳ ସମାବେଶ କରି ଆନ୍ଦୋଳନ କରିଛନ୍ତି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘ । ମାର୍ଗଶୀର ଗୁରୁବାର ଥିବାରୁ ଶିକ୍ଷୟତ୍ରୀମାନେ ରାସ୍ତା ଉପରେ ମାଣ ବସା ପୂଜା କରି ପ୍ରତିବାଦ କରିଥିଲେ ।
ସଂଘ ପକ୍ଷରୁ କୁହାଯାଇଛି ଯେ, ମାସକୁ ମାତ୍ର ଦୁଇରୁ ତିନି ହଜାର ଟଙ୍କା ଦରମା ପାଇ କାମ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପ୍ରାୟ ୩୦୦ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସ୍ଥାୟିତ୍ୱ ପାଇଁ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି । ଅଥଚ ସରକାର ଏମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଏମାନଙ୍କୁ ସରକାର ଅନ୍ତର୍ଭୁକ୍ତ କରିନାହଁନ୍ତି । ୧ ଜୁନ୍ ୨୦୦୮ ମସିହାରୁ ୩୦ନଭେମ୍ବର ୨୦୧୩ ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରୀ ସର୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ପାଇଁ ଦୀର୍ଘଦିନ ଦାବି ହୋଇ ଆସୁଛି । । ଏଥିରେ ସଂଘର ସଭାପତି, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ ଓ ସଂଘର ଶତାଧିକ ସଭ୍ୟ ସାମିଲ୍ ହୋଇଛନ୍ତି ।