
କୋଣାର୍କ /ଭୁବନେଶ୍ୱର, କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଶାସ୍ତ୍ରୀୟ ସତ୍ରିୟା ନୃତ୍ୟ ଓ ଓଡ଼ିଶାୀ ନୃତ୍ୟରେ ଆଧ୍ୟାତ୍ମ୍ୟ ଭାବର ପ୍ରକାଶ ମୁକ୍ତାକାଶ ମଂଚକୁ ଭକ୍ତିମୟ କରିଥିଲା । ସ୍ୱନାମଧନ୍ୟା ସତ୍ରିୟା ନୃତ୍ୟଗୁରୁ ଅନୀତା ଶର୍ମା ଓ ଅଭିନୟ ଡ୍ୟାନସ୍ ଏକାଡେମୀ ର ଶିଳ୍ପୀ କୃଷ୍ଣ ବନ୍ଦନା-ସୁତ୍ରଧରୀ ନୃତ୍ୟରୁ ଆରମ୍ଭ କରିଥିଲେ ସଂଧ୍ୟାର କାର୍ଯ୍ୟକ୍ରମ, ପରେ ପରେତ୍ତସତ୍ରିୟା ନୃତ୍ୟର ପ୍ରସିଦ୍ଧ ଚାଲି ନାଚ୍ ଲୀଳା ଗୋବିନ୍ଦମ୍ ଶୁଦ୍ଧନୃତ୍ୟ ରାଜଘୋରିୟା ଚାଲି ଓ ଗଜେନ୍ଦ୍ର ମୋକ୍ଷ ପରିବେଷଣ ସହ ଏକ ସମର୍ପଣ ଆବେଗ ସୃଷ୍ଟି କରିଥିଲେ ଶିଳ୍ପୀଗଣ । ଭାସ୍କରଜ୍ୟୋତି ଓଝା ଙ୍କ ସଂଗୀତ ସଂଯୋଜନା ଓ ଗୁରୁ ଅନୀତା ଶର୍ମ୍ମାଙ୍କ ନୃତ୍ୟ ସଂଯୋଜନ।। ଦର୍ଶକଙ୍କୁ ଅଭିଭୂତ କରିଥିଲା ।
ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶୀ ନୃତ୍ୟର ସୁପ୍ରସିଦ୍ଧ ଗୁରୁ ନିରଞ୍ଜନ ରାଉତ୍ ଓ ନୂପୁର ଅନୁଷ୍ଠାନ, ଭୁବନେଶ୍ୱରର ଶିଳ୍ପୀଗଣ ପୁରାଣ ଆଧାରିତ ସୂର୍ଯ୍ୟଦେବଙ୍କ ଉପାସନାକୁ ନେଇ ପ୍ରସ୍ତୁତ କରିଥିଲେ ନୃତ୍ୟ ସ୍ତବକ । ଦ୍ୱିତୀୟ ଉପସ୍ଥାପନାରେ ଓଡିଶୀ ଶିଳ୍ପୀ ମଂଚସ୍ଥ କରିଥିଲେ ଓଡିଶୀ ନୃତ୍ୟ ପର୍ଯ୍ୟାୟ ଅନ୍ତର୍ଗତ ଶୁଦ୍ଧ ନୃତ୍ୟ ପଲ୍ଲବୀ । ରାଗ-ଦେଶ ଓ ଖେମଟା ତାଳ ଆଧାରିତ ପଲ୍ଲବୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରି ବାନ୍ଧି ରଖିଥିଲା । ଶାସ୍ତ୍ରୀୟ ଓଡିଶୀର ଅନ୍ତିମ ପ୍ରସ୍ତୁତିରେ ରହିଥିଲା ଦଶମହାବିଦ୍ୟା ଅନ୍ତର୍ଗତ ଦେବୀ । ଶକ୍ତିଙ୍କର ବିବିଧ ପ୍ରକାଶ ମଧ୍ୟରେ କାଳୀ, ତାରା, ଷୋଡଶୀ, ଭୂବନେଶ୍ୱରୀ, ଧୂମାବତୀ ର ଦିବ୍ୟ ଚେତନାର ବାର୍ତାକୁ ପରଶି ଦେଇଥିଲେ ଶିଳ୍ପୀଗଣ । ଗୁରୁ ରାମହରି ଦାସଙ୍କ ସଂଗୀତ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳବାଦ୍ୟ ଓ ଗୁରୁ ନିରଂଜନ ରାଉତଙ୍କ ନୃତ୍ୟ ସଂଯୋଜନା ର ଉପସ୍ଥାପନା ଖୁବ ଉଚ୍ଚକୋଟୀର ଥିଲା ।
ରାଜ୍ୟ ପୁଲିସ ମହାନର୍ଦ୍ଦେଶକ ଶ୍ରୀ ଅଭୟ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରଦୀପ ପ୍ରଜ୍ୱଳନ କରି ସଂଧ୍ୟାର ଉଦଘାଟନ କରିଥିଲେ । ଅଧ୍ୟାପକ ଡ. ମୃତ୍ୟଞ୍ଜୟ ରଥ ଓ ସଂହତି ପାଣିଙ୍କ ମଂଚ ଉପସ୍ଥାପନାରେ ପରିଚାଳିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଲୁନା ମହାପାତ୍ର, ଓଟିଡିସି ମହା ପରିଚାଳକ ଶାନ୍ତନୁ ମହାନ୍ତି, ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଆଦି ଉପସ୍ଥିତ ରହିଥିଲେ । ସଂଗୀତ ନାଟକ ଏକାଡେମୀ ଅଧକ୍ଷ ଅରୁଣା ମହାନ୍ତିା ଓ ସଚିବ ପ୍ରବୋଧ ରଥଙ୍କ ସହ ଡ. ସଂଗୀତା ଗୋସାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ଦେଇଥିଲେ ।
ବ୍ରାଣ୍ଡ ଅମ୍ବାସଡର ତଥା ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତତ୍ୱାବଧାନରେ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀର ଦ୍ୱିତୀୟ ଦିନରେ ମାଣବସା ଓ ପରିବେଶ ପର୍ଯଟନର ଉପରେ ଆଧାରିତ ବାଲୁକା କଳାର ପ୍ରଦର୍ଶିତ ହୋଇଥିଲା ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ବେଶ୍ ପରିଲିକ୍ଷିତ ହୋଇଥିଲା ।