ଭୁବନେଶ୍ୱର, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ତଦନ୍ତର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ । ଓଡ଼ିଶା ହାଇକୋର୍ଟ ଏହି ମାମଲାର ତଦନ୍ତର ତଦାରଖ କରିବା ପାଇଁ ଶ୍ରୀ ନାଇଡୁଙ୍କୁ ମନୋନୀତ କରିଛନ୍ତି ।
ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବରଖାସ୍ତ ସହ ଘଟଣାର ତଦନ୍ତ ସିବିଆଇ ଅବା ହାଇକୋର୍ଟଙ୍କ ଦ୍ୱାରା ଗଠିତ ଏସଆଇଟି ଦ୍ୱାରା କରିବା ପାଇଁ ବିରୋଧୀ ଦଳ ଦାବି କରି ଆସୁଛି । କିନ୍ତୁ ବିଧାନସଭା ଶୀତକାଳୀନ ଅଧିବେଶନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମମିତା ହତ୍ୟା ମାମଲାର ତଦନ୍ତର ତଦାରଖ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି ଅବା ରିଟାର୍ଡ ବିଚାରପତି କିମ୍ବା ଜିଲ୍ଲା ଓ ସେସନ ଜଜଙ୍କ ଦ୍ୱାରା କରିବା ନିମନ୍ତେ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ଆଧାରରେ ରିଟାର୍ଡ ଜିଲ୍ଲା ଜଜ୍ ଏବିଏସ ନାଇଡୁଙ୍କୁ ତଦନ୍ତର ତଦାରଖ କରିବା ନିମନ୍ତେ ହାଇକୋର୍ଟ ମନୋନୀତ କରିଛନ୍ତି । ମମିତା ହତ୍ୟା ଭଳି ସମ୍ବେଦନଶୀଳ ମାମଲାର ତଦନ୍ତରେ ସ୍ୱଚ୍ଛତା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ ରହିଛି ।