ଜୟପୁର – ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସକୁ ରାଷ୍ଟୀୟ ଏକତା ଦିବସ ଭାବେ ପାଳନ କରାଯାଇଛି । ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ଦ୍ୱାରା ବିଶାଳ ମାନବ ଶୃଙ୍ଖଳ କରାଯାଇ ଭାରତର ଏକତା ଓ ଅଖଣ୍ଡତା ସ୍ୱରୁପ ଭାରତ ମାନଚିତ୍ର ରୁପୀ ମାନବ ଶୃଙ୍ଖଳ ମାଧ୍ୟମରେ ଦର୍ଶାଯାଇଥିଲା । ଭାରତ ମାତାକୀ ଜୟ ପ୍ରତିଧ୍ୱନୀରେ ପ୍ରକମ୍ପିତ ମହାବିଦ୍ୟାଳୟ ଦେଶଭକ୍ତିର ଅନନ୍ୟ ପରିବେଶ ସୃଷ୍ଟି କରିଥିଲା । ପରେ ଏକ ଭବ୍ୟ ସଭା ଆୟୋଜିତ ହୋଇଥିଲା । ଅଧ୍ୟକ୍ଷା ମନୋରମା ଦେବୀଙ୍କ ଦ୍ୱାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ଆକାଶ ବାଣି କେନ୍ଦ୍ରର ନରେନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ । ସମବେତ ଛାତ୍ରୀମାନଙ୍କୁ ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟର ଛାତ୍ରୀ ପ୍ରୀତି ମହାପାତ୍ରଙ୍କ ମନଛୁଆଁ ଭାଷଣ ମନୋରଞ୍ଜନ ପ୍ରଧାନଙ୍କର ସଂଯୋଜନା, ରାଜ୍ୟଲକ୍ଷ୍ମୀ ଭୋଳଙ୍କ ଧନ୍ୟବାଦ ଅର୍ପଣ ଓ ସମସ୍ତ ଅଧ୍ୟାପିକା ଅଧ୍ୟାପକଙ୍କ ସମର୍ପିତ ଯୋଗଦାନ ଓ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିଥିଲା ।
ରଶ୍ମୀତା ସ୍ୱାଇଁଙ୍କ ଦ୍ୱାରା ନିର୍ଦ୍ଦେଶିତ ସ୍ୱାଗତ ସଙ୍ଗୀତ, ଶୁଭଶ୍ରୀ ସଂପଦା ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଦେଶପ୍ରେମୀ ନୃତ୍ୟ ସମବେତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ୨୨ ଜଣ ଛାତ୍ରୀଙ୍କୁ ନେଇ ମଂଚସ୍ଥ ନାଟକରେ ଦେଶର ଅଖଣ୍ଡତା ସବୁ ରାଜ୍ୟର ଲୋକନୃତ୍ୟ ଓ ପରମ୍ପରାର ଝଲକ୍ ଦେଖିବାକୁ ମିଳିଥିଲା । ଏନଏସଏସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିବାଦ୍ୟାଳୟର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ।