
-
ଦିବଙ୍ଗତ ପୂର୍ବତନ ବିଧାୟକ ଓ ଶହୀଦଙ୍କ ପାଇଁ ପାରିତ ହେଲା ଶୋକ ପ୍ରସ୍ତାବ
ଭୁବନେଶ୍ୱର, ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହୋଇଛି । ଦିବଙ୍ଗତ ପୂର୍ବତନ ବିଧାୟକ ଓ ଶହୀଦଙ୍କ ପାଇଁ ଶୋକ ପ୍ରସ୍ତାବ ପାରିତ ହେବା ପରେ ସେମାନଙ୍କର ସମ୍ମାନରେ ପ୍ରଥମାର୍ଧରେ କୌଣସି କାମ ହୋଇ ନ ଥିଲା । ବାଚସ୍ପତି ଅପରାହ୍ନ ୫ଟାରେ ପୁଣି ବୈଠକ ବସିବ ବୋଲି ଘୋଷଣା କରିଥିଲେ ।
ଆଜି ୧୧ଟାରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲ।। ସର୍ବ ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିବଙ୍ଗତ ବିଧାୟକ ଓ ଶହୀଦ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିବାକୁ କହିଥିଲେ ।
ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ଉପ ବାଚସ୍ପତି ପ୍ରହଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ. ଋାମରାୟ ମୁଣ୍ଡା ଓଡିଶା ପୋଲିସର ପୂର୍ବତନ ସିପାହୀ ସୀତାରାମ ମୁଣ୍ଡା ଓ ରାଜ୍ୟରେ ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ । ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରମୁଖ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ବାଚସ୍ପତି ସେମାନଙ୍କର ଅମର ଆତ୍ମାର ସଦଗତି କାମନା କରିବା ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଇଥିଲେ ।
ଏହା ପରେ ବାଚସ୍ପତି କହିଥିଲେ ଯେ ଏମାନଙ୍କ ସମ୍ମାନରେ ଆଜି ପ୍ରଥମାର୍ଧ ବୈଠକରେ କୌଣସି କାମ ହେବ ନାହିଁା ଅପରାହ୍ନ ୫ଟାରେ ବୈଠକ ପୁଣି ଥରେ ବସିବ ।