ମାଲକାନଗିରି, ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ନିକଟସ୍ଥ ପରକନମାଳା ଗ୍ରାମ ପଞ୍ଚାୟତ ର ପାଣିଘାଟା ଗ୍ରାମ ରେ ରହନ୍ତି ଜୟସିଂହ ମଲଲୀ । ସ°ଘର୍ଷମୟ ଜୀବନର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଜୟସିଂହ । ପିଲାଟି ଦିନରୁ ଆର୍ଥିକ ଅନଟନ ଭିତରେ ପାଠପଢ଼ା ଆରମ୍ଭ କରିଥିଲେ । ବହୁ କଷ୍ଟରେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ । ଶେଷରେ ୨ ଏବଂ ୩ ପାଇଁ ମନ ବଳାଇଲେ କିନ୍ତୁ ଆର୍ଥିକ ସମସ୍ୟା ତାଙ୍କ ଆଗରେ ଏକ ବୃହତ୍ ପାଚେରୀ ଭଳି ଛିଡା ହେଲା । ଆଗକୁ ବଢ଼ିବାକୁ ହୃଦୟ ଭିତରୁ ଆସୁଥିବା ଇଛାକୁ ଚରିତାର୍ଥ କରିବାକୁ ନିଷ୍ପତ୍ତି ନେଲେ । ନବ ଯୌବନରେ ଉପନୀତ ବ୍ୟକ୍ତିଙ୍କ ପାଇଁ ରୋଜଗାର କରିବା କେତେ ଯେ କଷ୍ଟକର ତାହା ଅଙ୍ଗେ ନିଭାଇ ନ ଥିବା ଲୋକ ବୁଝିବା ସମ୍ଭବପର ନୁହେଁ । ଘରର ବଡ ପୁଅ ହିସାବରେ ଗୋଟିଏ ପଟେ ପାରିବାରିକ ବୋଝ ଏବଂ ଅନ୍ୟ ପଟେ ନିଜର ସ୍ୱପ୍ନକୁ ସାକାର କରିବା ସତେ ଯେମିତି ତାଙ୍କୁ ଟିକିଏ ହେଲେ ବିଶ୍ରାମ ଦେଉ ନ ଥିଲା । ଉଭୟ ପରିବାର ପ୍ରତିପୋଷଣ ଏବଂ ପାଠପଢ଼ା ପାଇଁ ପାଲଟି ଗଲେ ଦିନ ମଜୁରିଆ, ଡ୍ରାଇଭର, ପାଷ୍ଟଫୁଡ୍ ଦୋକାନୀ ଏମିତି ଅନେକ । ଆପ୍ରାଣ ଉଦ୍ୟମ ଫଳରେ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠପଢ଼ା ଶେଷ କଲେ । ପିଲାଟି ଦିନରୁ ତାଙ୍କର ଏକ ସ୍ୱପ୍ନ ଥିଲା ଯେ ଦେଶ ସେବା କରିବା, ନିଜ ଅଞ୍ଚଳର ବିକାଶ ପାଇଁ ସାମର୍ଥ୍ୟ ଅନୁସାରେ ସର୍ବୋପରି ଚେଷ୍ଟା କରିବା ଇତ୍ୟାଦି । ଭାରତୀୟ ଯବାନ ମାନଙ୍କ ଗହଣରେ ସାମିଲ ହେବାକୁ ସ୍ୱପ୍ନ ଦେଖିବା ଆରମ୍ଭ କଲେ । ସେଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ କଲେ । ବିଗତ ୨୦୧୮ ମସିହାରେ ଏସ ଏସ ସି କନେଷ୍ଟବଲ ଜିଡ଼ି ପାଇଁ ଆବେଦନ କଲେ ଏବଂ ୨୦୧୯ ମସିହାର ଫେବୃଆରୀ ମାସରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଆସିଲା । ପରୀକ୍ଷା କେନ୍ଦ୍ରକୁ ଯିବାର ୨ ଦିନ ପୂର୍ବରୁ ଡକାୟତମାନେ ଅନ୍ଧାର ରାତିରେ ଭୁଲ ବଶତଃ ତାଙ୍କ ବାପାଙ୍କୁ ହତ୍ୟା କରିଦେଲେ । ଏହା ସତ୍ତ୍ୱେ ଲିଖିତ ପରୀକ୍ଷାରେ ଏକ ସମ୍ମାନଜନକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବାପରେ ଉଭୟ ଶାରିରୀକ ଦକ୍ଷତା ଏବଂ ମେଡିକାଲ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହେଲେ । ସମୟର ଅତିକ୍ରମ ପରେ ଫଳାଫଳ ଘୋଷଣା କରାଗଲା ଏବଂ ସେଥିରେ ସେ ଚୟନ ହେଲେ । ଖୁସିରେ କିଛିଦିନ ବିଭୋର ହୋଇ ଉଠିଥିଲେ କିନ୍ତୁ ପୁଣିଥରେ ତାଙ୍କ ଜୀବନକୁ ଅନ୍ଧକାରର ଛାୟା ମାଡ଼ି ଆସିବ, ତାହା ତାଙ୍କର କଳ୍ପନାର ବାହାରେ ଥିଲା । ଭାରତୀୟ ସେନାରେ ଯୋଗ ଦେବାର ନିର୍ଧାରିତ ତାରିଖର ୨ ଦିନ ପୂର୍ବରୁ ତାଙ୍କ ସାନ ଭାଇର ଅକସ୍ମାତ ଦେହାନ୍ତ ହେଲା । ଏହିଥର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଲେ ଏବଂ ଯବାନରେ ସାମିଲା ହେବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ ତା”କୁ ଭାବନାରୁ ମଧ୍ୟ ଉଡେଇ ଦେଲେ । କାରଣ ପରୀକ୍ଷା ସମୟରେ ବାପାଙ୍କ ମୃତ୍ୟୁ ଘଟଣା ଏବଂ ଚାକିରୀରେ ଯୋଗଦେବା ସମୟରେ ଭାଇଙ୍କର ଅକାଳ ବିୟୋଗ ସତେ ଯେମିତି ତାଙ୍କୁ ଏହି ବିଭାଗରେ ସାମିଲ ହେବାକୁ ବାରଣ କରୁଛି । ଏହିଭଳି ଜଟିଳ ପରିସ୍ଥିତିରେ କିଛି ଲୋକଙ୍କ ଦ୍ବାରା ଉଭୟ ଆର୍ଥିକ ଏବଂ ମାନସିକ ସ୍ତରରେ ସାହାଯ୍ୟ ଯୋଗୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲେ । ଏଭଳି ଏକ ବ୍ୟକ୍ତିତ୍ଵ ଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଅଛି । ଆଜି ର ଏହି ସମ୍ବର୍ଦ୍ଧନା ଉତ୍ସବର କୁଡୁମୁଲୂଗୁମ୍ମା ଫାଣ୍ଡିର ଫାଣ୍ଡି ଅଧିକାରୀ ଗିରୀଶ ଚନ୍ଦ୍ର ମହାରଣା, ସହାୟକ ଫାଣ୍ଡି ଅଧିକାରୀ କମଳ ଲୋଚନ ନାୟକ, ତ୍ରିରଙ୍ଗା ଯୁବକ ସଂଘ ର ସଭାପତି ସହଦେବ ଶିଷା, ସମାଜସେବୀ ଭଗବାନ ସାହୁ, ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଙ୍କ ଉପସ୍ଥିତି ରେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଅଛି । ପାଣିଘାଟା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେଶ ମାତୃକାର ସେବା ପାଇଁ ଜୟସିଂହ ଉଦାହରଣ ସୃଷ୍ଟି କରିବା ସହ ଅନ୍ୟ ଯୁବବର୍ଗ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ମହାରଣା କହିଥିଲେ ।