
-
30 ପ୍ଲାଟୁନ ଫୋର୍ସ ମୁତୟନ, ବିଧାନସଭା ଆଡକୁ ଯାଇଥିବା ସମସ୍ତ ରାସ୍ତାରେ କଟକଣା
ଭୁବନେଶ୍ବର, ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦେଶକ ବରିଷ୍ଠ ଅଧିକାରୀ ମାନଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ମଙ୍ଗଳବାର ଦିନ ପୁଲିସ ଡିଜି ଅଭୟ କଟକ – ଭୁବନେଶ୍ୱର ଟ୍ୱିଟ ସିଟିର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍ ଓ ଡିସିପିଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି, ବିଧାନସଭାକୁ ଯାଉଥିବା ସମସ୍ତ ମାର୍ଗରେ କଟକଣା ଜାରି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ବିଧାନସଭା ଅଧିବେଶନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ହାଉସିଂ ବୋର୍ଡ ଛକପଟୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍ ଠାରୁ ଆଗକୁ ନଯାଇ ବାମପଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ସେହିପରି ଏଜି ଛକପଟୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ବୋଲି କୁହା ଯାଇଛି ।