
-
ଫୁଲବାଣୀ ୯ ଓ ଦାରିଙ୍ଗବାଡିରେ ୮ ଡିଗ୍ରୀ
କନ୍ଧମାଳ, ଚଳିତ ବର୍ଷ ଶୀତ ଋତୁରେ ଶୀତର ପ୍ରକୋପ ସେତେ ମାତ୍ରାରେ ନ ଥିଲେ ମଧ୍ୟ ବାରମ୍ବାର ଲଘୁଚାପ ଯୋଗୁଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ମଧ୍ୟ ଶୀତ ଅଧିକ ମାତ୍ରାରେ ଅନୁଭୁତ ହୋଇନଥିଲା । ହେଲେ ଗତ ତିନି ଦିନ ହେଲା ଶୀତର ପ୍ରଭାବ ଅନୁଭବ ହୋଇଥିବା ବେଳେ ଆଜି ଏହା ଅଧିକ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ଦୁଇ ଅଙ୍କ ତଳକୁ ଖସି ଆସିଛି । ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ଆଜି ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ୯ ଡିଗ୍ରୀ ରହିଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାର ପ୍ରଭାବରେ ଦାରିଙ୍ଗବାଡିରେ ଭୀଷଣ ଶୀତ ଅନୁଭୁତ ହେଉଛି । ଫଳରେ ଲୋକେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ଶୀତରେ ଥରିବା ଦେଖିବାକୁ ମିଳିଛି । ରାସ୍ତା କଡରେ ଏବଂ ବିଭିନ୍ନ ସ୍ଥାନରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁରେ ସେକି ହେଉଥିବା ଦେଖାଯାଉଛି । ଫୁଲବାଣୀର ମଧ୍ୟ ସକାଳୁ ଭୀଷଣ ଶୀତ ଅନୁଭୁତ ହେଉଛି ।ଫଳରେ ଲୋକେ ଭୋରରୁ ଉଠି ବ୍ୟାୟାମ କରିବା ବେଳେ ଓ ଗ୍ରାମାଞ୍ଚଳର ଲୋକେ ସେମାନଙ୍କ ଜିନିଷ ବିକ୍ରି କରିବା ପାଇଁ ଫୁଲବାଣୀ ଆସିବା ସମୟରେ ଭୀଷଣ ଶୀତ ଅନୁଭବ କରୁଛନ୍ତି । ତେଣୁ ସେମାନଙ୍କ ଦୈନନ୍ଦିନ ଜୀବନରେ ବାଧା ସୃଷ୍ଟି ହେଉଛି । ଅନୁରୂପ ଭାବେ ଫୁଲବାଣୀରେ ବାସହୀନ ଗରିବ ଓ ଭିକ୍ଷୁକ ଶ୍ରେଣୀର ଲୋକଙ୍କ ପାଇଁ ଏହିଭଳି ଶୀତରେ ରାତ୍ରିଯାପନ କରିବା ଅତି କଷ୍ଟକର ହେଉଛି । ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ।