
-
ଦୁଇ ବନ କର୍ମଚାରୀ ଲୋକଙ୍କ ଆକ୍ରୋଶର ଶିକାର
ବଲାଙ୍ଗିର, ଆଜି ସକାଳ ସାଢ଼େ ୬ଟାରୁ ୭ଟା ଭିତରେ ଭାଲୁପାଲିରେ ବଣୁଆ ହାତୀ ଜଣଙ୍କୁ ନୃଶଂସ ଭାବେ ଦଳି ମାରି ଦେଇଥିବା ଜଣାପଡ଼ିଛି । ଘଟଣା ପରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରମାଇ ପାହାଡ଼ ସଂରକ୍ଷିତ ଜଙ୍ଗଲରୁ ଆସି ଭାଲୁପାଲି ଗ୍ରାମରେ ଗତକିଛି ଦିନ ହେଲା ଉପଦ୍ରବ ଚଳାଇଛନ୍ତି ହାତୀପଲ । ଆଜି ହାତୀ ଆକ୍ରମଣରେ ଗ୍ରାମର ଗୋପାଳ ପୋଢ଼ ନାମକ ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ହାତୀପଲ ଗାଁ ପାଖେ ପାଖେ ରହୁଛନ୍ତି ଓ ଧାନ ଫସଲ ନଷ୍ଟ କରି ଚାଲିଛନ୍ତି । ଗ୍ରାମବାସୀ ସକାଳୁ ସଂଧ୍ୟାରେ ଯିବା ଆସିବା ସମୟରେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ପ୍ରଶାସନର ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଗ୍ରାମବାସୀ ମତ ଦେଇଛନ୍ତି । ଏହି ଘଟଣା ପରେ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ବନବିଭାଗର ଦୁଇଜଣ କର୍ମଚାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଜଣେ ବନପାଳ ଓ ବନ ଜଗୁଆଳି ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ପଡ଼ିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛି ।