
ମାଲକାନଗିରି, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ୍ ର ଅଠର ଗୋଟି ପଞ୍ଚାୟତ ମଧ୍ୟରେ ଅଧିକାଂଶ ପଞ୍ଚାୟତ ନଦୀ ନାଳ ଘେରା ଭିତରେ ରହିଛି । ପ୍ରତି ବର୍ଷ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରୁ ନଦୀରେ ଡ଼ଙ୍ଗା ବୁଡ଼ି ଏବଂ ଭରା ନଦୀରେ ଭାସି ଯାଇ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ପ୍ରାଣ ହରାଇଥାନ୍ତି ।
ହେଲେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଅଞ୍ଚଳରୁ ପ୍ରତି ବର୍ଷ ଏତେ ସଂଖ୍ୟାରେ ନଦୀରେ ଡ଼ଙ୍ଗା ବୁଡ଼ି ହେଉ କିମ୍ବା ଭାସି ଯାଇ ମରୁଛନ୍ତି ସେ ଚିତ୍ରକୋଣ୍ଡା ଅଞ୍ଚଳ ପାଇଁ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ ପାଇଁ କାହାର ନିଘା ନାହିଁ । ଚିତ୍ରକୋଣ୍ଡା ଅଞ୍ଚଳର ଅଧାରୁ ଅଧିକ ଗ୍ରାମକୁ ଯିବାକୁ ହେଲେ ନଦୀ, ନାଳ ଅତିକ୍ରମ କରି ଯିବାକୁ ପଡିଥାଏ । ଚିତ୍ରକୋଣ୍ଡା ଅଞ୍ଚଳରେ ପ୍ରତିବର୍ଷ ଡ଼ଙ୍ଗାବୁଡ଼ି ଘଟଣା ଘଟି ବହୁ ସଂଖ୍ୟାରେ ଜୀବନ ହାନି ଘଟୁଥିବା ବେଳେ ଚିତ୍ରକୋଣ୍ଡାରେ ବ୍ଲକ ହେବାର ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟାଳୟ ହୋଇପାରିଲା ନାହିଁ । ଘଟଣା ଘଟିବା କ୍ଷଣି ତତକ୍ଷଣାତ ଦମକଳ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି ଚିତ୍ରକୋଣ୍ଡା ଅଞ୍ଚଳ ବାସୀ । ଯେତେବେଳେ ବି ଡ଼ଙ୍ଗାବୁଡି ଦୁର୍ଘଟଣାଟିଏ ଘଟୁଛି ସମସ୍ତ ଲୋକ ନିଖୋଜ ରହୁଛନ୍ତି । ଚିତ୍ରକୋଣ୍ଡା ତହସିଲଦାର ଏହି ଖବର ଜାଣିବା ପରେ ମାଲକାନଗିରି, କୁଡୁମୁଲୁଗୁମ୍ମା, କୋରୁକୋଣ୍ଡା କିମ୍ବା ମାଥିଲିରୁ ୫ 0 ରୁ ୮ 0 କିଲୋମିଟର ଦୂରରୁ ଚିତ୍ରକୋଣ୍ଡା ରେ ଘଟଣା ଘଟିବାର ପରଦିନ ପହଂଚନ୍ତି । ଅଗ୍ନିଶମ କିମ୍ବା ଓଡ୍ରାଫ୍ଟ ଟିମ୍ କେବଳ ଘଟଣାସ୍ଥଳରେ ବହୁ ବିଳମ୍ବରେ ପହଂଚି ଦୁଇ ତିନି ଦିନ ପରେ ଶବ ଉଦ୍ଧାର କରିଥାନ୍ତି । କିନ୍ତୁ ପରିତାପର ବିଷୟ ଯଦି ଚିତ୍ରକୋଣ୍ଡାରେ ଦମକଳ ଗାଡି ସହ ଅଗ୍ନିଶମ ଟିମ୍ ଥାନ୍ତେ ହୁଏତ ଶୀଘ୍ର ଦୁର୍ଘଟଣା ସ୍ଥଳରେ ପହଂଚି କିଛି ପରିମାଣରେ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ସକ୍ଷମ ହୋଇଥାନ୍ତେ । କିଛି ଜୀବନ ଅକାଳରେ ଚାଲିଯିବା ଆଗରୁ ବଞ୍ଚାଇ ଦିଆଯାଇ ପାରିଥାନ୍ତା । ବିଶେଷ କରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ବହୁ ଦୁର୍ଘଟଣା ଘଟି ଚାଲିଛି । ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ଯଥା ଓରାପଦର, କନ୍ଧଗୁଡ଼ା, କୁରୁମାନୁର,ପଣଷପୁଟ, ଚିତ୍ରକୋଣ୍ଡା ଆରଙ୍ଗି ଘାଟ ଓ ଦୋରାଗୁଡ଼ା ଘାଟ, କାଞ୍ଚରପେଟା ନଦୀ, ସାକୃବନ୍ଧା ନାଳ ଭଳି ବହୁ ଗ୍ରାମରେ ଡ଼ଙ୍ଗା ବୁଡ଼ି ଓ ନଦୀରେ ଭାସି ଦୁର୍ଘଟଣା ଘଟି ବହୁ ଜୀବନ ଚାଲି ଗଲାଣି । ପ୍ରତି ବର୍ଷ ଡ଼ଙ୍ଗାବୁଡ଼ି ଘଟଣା ଘଟି ବହୁ ଜୀବନ ଯାଉଛି ଯାହାକି ପ୍ରତି ବର୍ଷ ଘଟି ଆସୁଛି, ଉକ୍ତ ସମସ୍ୟା ମାଲକାନଗିରି ଜିଲା ପ୍ରଶାସନ ତଥା ସ୍ଥାନୀୟ ବିଧାୟକ ଓ ସାଂସଦ ଅବଗତ ଥାଇ ମଧ୍ୟ ଆଜି ଯାଏଁ ଚିତ୍ରକୋଣ୍ଡାରେ ଅଗ୍ନିଶମ ସେବା କେନ୍ଦ୍ରଟିଏ ହୋଇ ପାରିଲା ନାହିଁ । ଅବିଳମ୍ବେ ଜିଲା ପ୍ରଶାସନ, ଚିତ୍ରକୋଣ୍ଡା ବିଧାୟକ ଓ ନବରଙ୍ଗପୁର ସାଂସଦ ଉକ୍ତ ସମସ୍ୟାକୁ ବିଚାରକୁ ନେଇ ଚିତ୍ରକୋଣ୍ଡାରେ ନୂଆ ଅଗ୍ନିଶମ ସେବା କେନ୍ଦ୍ର କରିବାକୁ ଚିତ୍ରକୋଣ୍ଡା ଉପାନ୍ତ ଅଞ୍ଚଳ ତଥା ସ୍ୱାଭିମାନ ଅଞ୍ଚଳବାସୀ ଦାବି କରିଛନ୍ତି ।