ଜୟପୁର – ଯୁବତୀ ଚାଲାଣ ବେଳେ ଟାଉନ ପୋଲିସ ଚଢ଼ଉ କରି ୧୨ ଜଣ ଯୁବତୀ ଓ ୫ ଜଣ ନାବାଳିକା ମୋଟ ୧୭ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଏନେଇ ଆଜି ଏସଡିପିଓ ବରୁଣ ଗୁନ୍ଥୁପାଲ୍ଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଚାଲାଣ କରୁଥିବା ଦଲାଲ୍ ନବରଙ୍ଗପୁର ଜିଲା ନୂଆକୋଟି ଗ୍ରାମର ଯୁବକ ସୁବାଷ ଚନ୍ଦ୍ର ହରିଜନ(୨୬)କୁ ପୋଲିସ ଗିରଫ କରିଛି ।
ନବରଙ୍ଗପୁର ଜିଲା ପାପାଡହାଣ୍ଡି, ରାଇଘର, ନୂଆକୋଟି ଅଂଚଳର ୧୨ ଜଣ ଯୁବତୀ ଓ ୫ ଜଣ ନାବାଳିକାକୁ ସରକାରୀ ବସ୍ ଯୋଗେ ରାଇଘର ଠାରୁ ବିଶାଖାପାଟଣା ନିଆଯାଉଥିବା ସମ୍ପର୍କରେ ସୂଚନା ପାଇ ଜୟପୁର ଟାଉନ ଥାନା ପୋଲିସର ଏକ ଟିମ୍ ଏହି ବସ୍ ଉପରେ ଚଢ଼ଉ କରିଥିଲେ । ଶ୍ରମିକ କାର୍ଯ୍ୟରେ ନିୟୋଜନ ବାହନାରେ ଅନୈତିକ କାର୍ଯ୍ୟରେ ଏମାନଙ୍କୁ ସାମିଲ୍ ପାଇଁ ଚାଲାଣ କରାଯାଉଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା । ସେମାନଙ୍କୁ ଉଦ୍ଧାର କରିବା ସହ ଚାଲାଣକାରୀ ନାମରେ ୨୭୯/୧୯ ମାମଲା ରୁଜୁ କରିଛି ପୋଲିସ । ସିଡବ୍ଲୁସି ସହ ଆଲୋଚନା କରି ଯୁବତୀ ଓ ନାବାଳିିକାଙ୍କ ପରିବାର ଲୋକଙ୍କୁ ଡକାଇ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି, ସଦର ଥାନା ଅଧିକାରି ଶିବ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।