-
ନିର୍ମାଣର ୨ ବର୍ଷ ପୁରିନି, କୋର୍ଟ ଉଇ ଲାଗି ବର୍ବାଦ
-
ଜିଲ୍ଲା ପ୍ରଶାସନ ସାଜିଛି ନିରବଦ୍ରଷ୍ଟା
ସମ୍ବଲପୁର, ଦୁର୍ନୀତିର ଗନ୍ତାଘର ପାଲଟିଛି ସମ୍ବଲପୁର ଭି.ଏସ.ଏସ. ଷ୍ଟାଡିଅମ ଇଣ୍ଡୋର ବ୍ୟାଡ଼ମିଂଟନ କୋର୍ଟ । ସୂଚନା ଯୋଗ୍ୟ ଯେ, ଷ୍ଟାଡିଅମ ପରିସରରେ ଅନେକ ବର୍ଷ ପୂର୍ବେ ଏକ ବ୍ୟାୟାମଶାଳା ହଲ୍ ନିର୍ମାଣ କରାଯାଇଥିଲା । ପରେ ପରେ ରକ୍ଷଣାବେକ୍ଷଣାର ଅଭାବରୁ ତାହା ବନ୍ଦ ହୋଇଯାଇଥିଲା ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ହଲ୍ କୁ ବ୍ୟବହାର କରାଯାଉଥିଲା । ଗତ କିଛି ବର୍ଷ ପୂର୍ବେ ତତ୍କାଳୀନ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ପ୍ରଚେଷ୍ଟାରେ ବିଭିନ୍ନ ଶିଳ୍ପାନୁଷ୍ଠାନର ପରାପାଶ୍ୱିର୍କ ଉନ୍ନୟନ ପାଣ୍ଠି ସହାୟତାରେ ଏହି ବ୍ୟାଡ଼ମିଂଟନ କୋର୍ଟର ନିର୍ମାଣ କରାଯାଇଥିଲା । କିଛି ବର୍ଷ ଠିକ୍ ଠାକ୍ ଚାଲିଲା ପରେ, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ହାତରେ ଜିଲ୍ଲା ପ୍ରଶାସନ ଆକୁଣ୍ଠ ବିଶ୍ୱାସ କରି ଏହାର ପରିଚାଳନା ଦାୟିତ୍ୱ ଦେଲା, ଯଦ୍ୱାରା ଆରମ୍ଭ ହେଲା ଦୁର୍ନୀତି । ଜାଣି ଶୁଣି ଚୁପ୍ ହୋଇ ରହିଲା ଜିଲ୍ଲା ପ୍ରଶାସନ । ଏବେ ପୁଣି ୩ ବର୍ଷ ପୂର୍ବେ ୨ଟି କୋର୍ଟ କୁ ଉଡେନ କୋର୍ଟରେ ପରିଣତ କରିବା ପାଇଁ ଲକ୍ଷାଧିକ ଟଙ୍କାରେ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦେଲା ଜିଲ୍ଲା ପ୍ରଶାସନ, ହେଲେ ନିର୍ମାଣ ହେବାର ୨ ବର୍ଷ ନଯାଉଣୁ କୋର୍ଟକୁ ଉଇ ଲାଗି ଏହା ବର୍ବାଦ ହୋଇଗଲାଣି । ଏଥିରୁ ସ୍ୱଷ୍ଟ ହେଉଛି ଯେ ନିର୍ମାଣ କାର୍ଯ୍ୟରେ କେତେ ଦୁର୍ନୀତି ହୋଇଛି ବୋଲି ଜିଲ୍ଲା କ୍ରୀଡ଼ା ସଂଘର ପୂର୍ବତନ ଖେଳ ସମ୍ପାଦକ ସରୋଜ ସାହୁ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।
ଆଶ୍ଚର୍ଯ୍ୟ ର ବିଷୟ, ଏହି ସବୁ ବିଷୟ ଜାଣି ସୁଦ୍ଧା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ସମ୍ବଲପୁର ସହରରେ ଆଉ ୨ /୩ ଟି ଇଣ୍ଡୋର ବ୍ୟାଟମିଂଟନ କୋର୍ଟ ଅଛି ହେଲେ, ସେଠାରେ ଖେଳିବା ପାଇଁ ମାସିକ ଯେତେ ଫି ନିଆଯାଉଛି ତାଠାରୁ ବେଶି ମାସିକ ଫି ନିଆଯାଉଛି । ହେଲେ ଏହି ସରକାରୀ ବ୍ୟାଡ଼ମିଂଟନ କୋର୍ଟର ପରିଚାଳନାରେ ଲାଗି ରହିଛି ଘୋର ଅବହେଳା । କିଏ ନିୟମିତ ଖେଳିବା ଫି ଦେଉଛି ତ କିଏ କିଏ ଫି ନଦେଇ ବି ଖେଳ ଜାରି ରଖିଛନ୍ତି, କିଏ ମୁହଁ ଖୋଲିବା ଲୋକ ନାହାନ୍ତି । ସମ୍ବଲପୁର ଜିଲ୍ଲାରେ ବ୍ୟାଡ଼ମିଂଟନ ଖେଳ ପାଇଁ ଜଣେ ନିୟମିତ ପ୍ରଶିକ୍ଷକ ନିଯୁକ୍ତି ହୋଇଛନ୍ତି, ହେଲେ ମାସକୁ କୋଡିଏ ଦିନ ଅନୁପସ୍ଥିତ ରୁହନ୍ତି ମହାଶୟ । ଏସବୁ ସତ୍ୱେ ବି ଜିଲ୍ଲା ପ୍ରଶାସନ ଚୁପ୍ ବୋଲି ଶ୍ରୀ ସାହୁ ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି ।ବ୍ୟାଡ଼ମିଂଟନର ପରିଚାଳନା ପାଇଁ କେତେ ଅର୍ଥ ଆସୁଛି ଯାଉଛି କିଛି ବି ହିସାବ ନାହିଁ । ୟାରୀ ଭିତରେ ଖେଳ ପାଇଁ ଉଦ୍ଦିଷ୍ଟ ଏହି ବ୍ୟାଡ଼ମିଂଟନ ଇଣ୍ଡୋର କୋର୍ଟରେ ଖେଳ ବନ୍ଦ କରି ସରକାରୀ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ଦେଖିବାକୁ ମିଳିଛି ।ଏମିତି ଅନେକ ସମସ୍ୟା ଭିତରେ ଚାଲିଛି ଭି.ଏସ.ଏସ. ଷ୍ଟାଡିୟମ ଇଣ୍ଡୋର ବ୍ୟାଡ଼ମିଂଟନ କୋର୍ଟ । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଂଘର ସଭାପତି ବିଶେଷ ଧ୍ୟାନ ଦେବା ସହ ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ କ୍ରୀଡ଼ା ସଂଗଠକ ଶ୍ରୀ ସାହୁ ଦାବୀ ଜଣାଇଛନ୍ତି ।