
-
ପୁଲିସର ନିଷ୍କ୍ରିୟତା ନେଇ ପ୍ରତିବାଦ, ସିନ୍ଧେକେଲା ଥାନା ଘେରାଉ
ବଲାଙ୍ଗିର, ଗତ ବୁଧବାର ଅପରାହ୍ନରେ ସିନ୍ଧେକେଲା ଥାନା ଅନ୍ତର୍ଗତ ପୁଟୁପଡାର ଜମି ବିବାଦକୁ ନେଇ ମଠର ଜଣେ ବାବାଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ କିଛି ଦୁର୍ବୃତ । ଏହି ଆକ୍ରମଣରେ ମଠାଧିଶ କିଶୋରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେ ମୂର୍ଚ୍ଛା ହୋଇ ଘଟଣାସ୍ଥଳରେ ତଳେ ପଡି ଯାଇଥିଲେ । ଅଚେତ ଅବସ୍ଥାରେ ଥିବା ବାବାଙ୍କୁ ତାଙ୍କର କେତେକ ଅନୁଗାମୀ ଓ ଗ୍ରାମବାସୀଙ୍କ ସହଯୋଗରେ ଆମ୍ୱୁଲାନ୍ସ ଯୋଗେ ସିନ୍ଧେକେଲା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଏନେଇ ସିନ୍ଧେକେଲା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ତେବେ ପୋଲିସ ଘଟଣାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
ବୁଧବାର ରାତିରେ ମଠାଧିଶ କିଶୋରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ସିନ୍ଧେକେଲା ଡାକ୍ତରଖାନାର ଡ଼ାକ୍ତର ବଲାଙ୍ଗୀର ଭିମଭୋଇ ମେଡିକାଲକୁ ରେଫର କରିଥିଲେ । ଭିମଭୋଇ ମେଡିକାଲରେ ଚିକିତ୍ସିତ ହେବା ଅବସ୍ଥାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ଗତ ଶୁକ୍ରବାର ଦିନ ୧୨ଟାରେ ବାବାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଭୀମସାର ମେଡିକାଲ କଲେଜକୁ ପଠାଯାଇଛି । ସେପଟେ ସିନ୍ଧେକେଲା ପୋଲିସ ଘଟଣାର ୫ ଦିନ ବିତି ଯାଇଥିଲେ ସୁଦ୍ଧା ଅପରାଧୀଙ୍କୁ ଧରିବା ପାଇଁ ଥରଟିଏ ମଧ୍ୟ ପୁଟୁପଡା ଗାଁକୁ ଆସି ନାହିଁ ।ସୂଚନାଯୋଗ୍ୟ ଯେ, ଆକ୍ରମଣକାରୀଙ୍କ ସହ ପୋଲିସର ସମ୍ପର୍କ ଥିବା ସନ୍ଦେହ କରି ବର୍ତମାନ ସିନ୍ଧେକେଲାରେ ଉତେଜନା ଜୋର୍ ରହିଛି । ଅନ୍ୟ ଜନସାଧାରଣ ଅଭିଯୋଗ ତ ଦୂରରେ ଥାଉ ଜଣେ ଜଣାଶୁଣା ସାଧୁସନ୍ଥ ମରାଣାନ୍ତକ ଆକ୍ରମଣ ଘଟଣା ପରେ ମଧ୍ୟ ପୋଲିସ ଏହା ଉପରେ ଗୁରୁତ୍ୱ ଦେଉନି, ଆଜି ଏହାର ପ୍ରତିବାଦରେ ୭୦୦ରୁ ଉର୍ଦ୍ଧ୍ୱ ସାଧୁ ସନ୍ଥ ଓପୁଟୁପଡା, ସିନ୍ଧେକେଲା, ଆଖପାଖ ଅଂଚଳର ଗ୍ରାମବାସୀ ମିଳିତ ଭାବେ ସିନ୍ଧେକେଲା ଥାନାକୁ ଘେରାଉ କରିଛନ୍ତି ।