କେନ୍ଦ୍ରାପଡା – କେନ୍ଦ୍ରାପଡା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ଲିମିଟେଡରେ କିଛି ମାସ ପୂର୍ବେ କାର୍ଯ୍ୟରତ ଜନୈକ ଯୁବତୀ କର୍ମଚାରୀଙ୍କୁ କେନ୍ଦ୍ରାପଡା ମୁଖ୍ୟ କାର୍ଯ୍ୟାଳୟରୁ ମାର୍ଶାଘାଇ ଶାଖାକୁ ବଦଳି କରାଯାଇଥିଲା । ଉକ୍ତ ଯୁବତୀ କର୍ମଚାରୀ ଓ ଅନ୍ୟଜଣେ ଯୁବ କର୍ମଚାରୀ ଏହାର ପ୍ରତିବାଦ କରି କାର୍ଯ୍ୟାଳୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଏହା ବିରୁଦ୍ଧରେ ସୋସାଇଟିର ସହ ସଂପାଦକ ଅରବିନ୍ଦ ସାହୁ ଉପରୋକ୍ତ ଦୁଇ ଜଣ କର୍ମଚାରୀଙ୍କ ବିରୋଧରେ ଗତ ଏପ୍ରିଲ୍ ମାସରେ କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିଥିଲେ । ପରବର୍ତୀ ଅବସ୍ଥାରେ ଯୁବତୀ କର୍ମଚାରୀ ଜଣକ ସଭାପତି ଶ୍ରୀ ସାହୁଙ୍କ ନାମରେ କେନ୍ଦ୍ରାପଡା ଟାଉନ୍ ଥାନାରେ ଅନ୍ୟ ଏକ ଅଭିଯୋଗ ଆଣିଥିଲେ । ପୋଲିସ ଏହି ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲେ । ଛଅ ମାସ ଅତିକ୍ରାନ୍ତ ହେବାପରେ ଏହି ମାମଲାକୁ ନେଇ ବିଭିନ୍ନ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ସୋସାଇଟି ସଭାପତି ଶ୍ରୀ ସାହୁଙ୍କ ବିରୋଧରେ ଚର୍ଚ୍ଚା ଆଲୋଚନା ହେଉଛି । କେନ୍ଦ୍ରାପଡା କ୍ରେଡିଟର କର୍ମଚାରୀମାନେ ଏହାର ଦୃଢ଼ ପ୍ରତିବାଦ କରି ଏକ ଦାବିପତ୍ର ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କୁ ଗତକାଲି ଅପରାହ୍ନରେ ପ୍ରଦାନ କରିଛନ୍ତି ।
କେନ୍ଦ୍ରାପଡା କ୍ରେଡିଟ୍ ମାତ୍ର ୧୯ ବର୍ଷ ମଧ୍ୟରେ ରାଜ୍ୟରେ ଏକ ଅଗ୍ରଣୀ ଏବଂ ଆର୍ଥିକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସଂସ୍ଥା ଭାବେ ପୁରସ୍କୃତ ହୋଇଛି । ଏହି ସଂସ୍ଥାକୁ କେତେକ ଖଳ ପ୍ରକୃତିର ଲୋକ ବଦନାମ୍ କରିବାକୁ ଅତୀତରେ ଉଦ୍ୟମ କରିଛନ୍ତି । ଉଦ୍ୟମରେ ବିଫଳ ହେବା ପରେ ଯୁବତୀଙ୍କ ଅଭିଯୋଗକୁ ସାହାରା କରି ସଭାପତି ଶ୍ରୀ ସାହୁଙ୍କୁ ବଦନାମ୍ କରିବାକୁ ଷଡଯନ୍ତ୍ର ରଚନା କରାଯାଇଛି । ତାଙ୍କୁ କୈାଣସି ପ୍ରକାରେ ପଦବୀରୁ ହଟାଇ ସଭାପତି ପଦ ନିଜ ଆୟତକୁ ଆଣିବା ପାଇଁ ଯୋଜନା କରାଯାଇଛି । ନିକଟ ଭବିଷ୍ୟତରେ ନିର୍ବାଚନ ହେବାର ଥିବାରୁ ଯୁବତୀଙ୍କୁ ଅସ୍ତ୍ର କରି ସୋସାଇଟି ସଭାପତିଙ୍କୁ ନେଇ ସୋସାଇଟିକୁ ବଦନାମ୍ କରିବା ପାଇଁ ଉଦ୍ୟମ ହେଉଛି । ପାଂଚ ଶହରୁ ଅଧିକ କର୍ମଚାରୀଙ୍କ ପରିବାର ନିର୍ଭର କରୁଥିବା ଉକ୍ତ ସଂସ୍ଥା ବିରୁଦ୍ଧରେ ଯେଉଁ ଖଳ ଚରିତ୍ରର କୁଚକ୍ରୀମାନେ ଷଡଯନ୍ତ୍ର କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସାଇଟିର ସଂପାଦକ ପ୍ରହ୍ଲାଦ ସାହୁ, ସହ ସଂପାଦକ ଅରବିନ୍ଦ ସାହୁ, ସାଧାରଣ ନିବନ୍ଧକ ମନୋଜ କୁମାର ସାହୁ, ନିବନ୍ଧକ ରମେଶ ସେଠୀ, ସନ୍ତୋଷୀ କୁମାରୀ ସାମଲ, ପ୍ରିୟମ୍ବଦା ରାଉତରାୟ, ସେକ୍ ରଫିଉଦ୍ଦିନ୍, ସାହିନା ପରୱିନ୍, ସୁଷମା ସଙ୍ଗିତା ରଣା, ବିଜୟାଲକ୍ଷ୍ମୀ ବେହେରା ପ୍ରମୁଖ ଦାବି କରିଛନ୍ତି । ଏହି ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିଛନ୍ତି ।