ବଲାଙ୍ଗିର, ନବଜାତ ଶିଶୁ କନ୍ୟାକୁ ରାସ୍ତା କଡ଼ ଅଳିଆ ଗଦାରେ ଫିଙ୍ଗି ଦେବା ଭଳି ଏକ ଖବର ଏବେ ପୁଣି ସାମନାକୁ ଆସିଛି । ଗତକାଲି ରାତି ସମୟରେ ସୁଦପଡା ଫାଟକ ଓଭର ବ୍ରିଜ କଡ଼ରେ ଗୋଟିଏ ପେଟି ଭିତରେ ନବଜାତ ଶିଶୁଟିଏ ପଡିଥିବା କିଛି ଲୋକ ଦେଖିଥିଲେ । ଏନେଇ ସେମାନେ ପୋଲିସକୁ ଫୋନ କରି ଜଣାଇଥିଲେ । ପରେ ଶିଶୁଟି ଜୀବିତ ନା ମୃତ, ତାହା ଜାଣି ନ ଥିବା ବେଳେ ଖବର ପାଇ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲକୁ କିଛି ସ୍ୱେଛାସେବୀ ସଂଗଠନର ଯୁବକ ନବଜାତ ଶିଶୁକୁ ଆଣିଥିଲେ । ଦୀର୍ଘ ସମୟ ଧରି ଶିଶୁଟିର ସ୍ୱାସ୍ଥ୍ୟ ଯାଂଚ୍ କରାଯାଇଥିଲା । ହେଲେ ଶିଶୁଟିର ମୃତ୍ୟୁ ଘଟିସାରିଥିବା ଜଣାପଡିଥିଲା । ତେବେ ତାକୁ ମଲା ପରେ ଏଠାରେ ଫୋପାଡି ଦିଆଯାଇଚି ନା ଫୋପାଡି ଦେବାପରେ ଶିଶୁଟି ମରିଯାଇଛି ତାହା ଜଣାପଡ଼ି ନାହିଁ । ପ୍ରଶାସନର ବେପରୱା ମନୋଭାବ ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି ।