
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ସିଟିଜେନ ଫୋରମ ପକ୍ଷରୁ ଆଜି ଏକ ଦିବସୀୟ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଫୋରମ ତରଫରୁ ଆଠ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ବିଗତ ୧୪ବର୍ଷ ଧରି ଏହି ଆଠ ଦଫା ଦାବି ଉପସ୍ଥାପନା କରିଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି । ଯାହାଦ୍ୱାରା ଜିଲ୍ଲାର ବରିଷ୍ଠ ନାଗରିକ ମାନେ ଅବହେଳାର ଶିକାର ପଡୁଥିବା ଜଣାଯାଏ । ଜିଲ୍ଲାରେ ଅସାମାଜିକ, ଗୁଣ୍ଡା ଗର୍ଦି, ଅତ୍ୟାଚାର, ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି, ସରକାରୀ କଳ ନିରବଦ୍ରଷ୍ଟା ଭଳି ମନେ ହେଉଛି, ଜିଲ୍ଲାରେ ଦୁର୍ନୀତି ଭ୍ରଷ୍ଟାଚାର ବଢୁଛି, ସିନିୟର ସିଟିଜେନ ମାନଙ୍କୁ ପ୍ରତିବାଦ କରିବାକୁ ପଡୁଛି, ଫୋରମ ର ପ୍ରମୁଖ ଦାବି ମଧ୍ୟରେ କୃଷି ମହାବିଦ୍ୟାଳୟ ନିକଟରୁ ମଦ ଭାଟିକୁ ସ୍ଥାନାନ୍ତର କରିବା, କଳାହାଣ୍ଡିକୁ ରେଳ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି କରିବା, ମ୍ୟୁନିସିପାଲିଟିର କାର୍ଯ୍ୟକାରିତାର ଗୁଣବତା କ୍ଷେତ୍ରରେ ରାସ୍ତା ଓ ନାଳୀ ନିର୍ମାଣ କରିବା, ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ରେ ଦୁର୍ନୀତି ନିବାରଣ ପାଇଁ ଏକ ନାଗରିକ ଉପଦେଷ୍ଟା କମିଟିର ଗଠନ, ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ବହୁଳ ଅଂଚଳକୁ ରାସ୍ତା ଘାଟ ସଂଯୋଗୀକରଣ କରିବା, ଜିଲ୍ଲାର ସରକାରୀ ମେଡିକାଲ କଲେଜର କାର୍ଯ୍ୟାନୁଷ୍ଠାନ, କଳାହାଣ୍ଡି ଠାରେ ଏକ କୃଷି ବିଶ୍ୱ ବିଦ୍ୟାଳୟର ସ୍ଥାପନ କରିବା, ଜିଲ୍ଲାରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଉନ୍ନତିକରଣ ଆଦି ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ ।
ଏହି ଗଣ ଧାରଣାକୁ ଜିଲ୍ଲାର ବିଭିନ୍ନ ସଂଘ ସମର୍ଥନ କରିଥିଲେ । ସେମାନଙ୍କ ମଧ୍ୟରେ ଜିଲ୍ଲା ବାର୍ ଆସୋସିଏସନ, ଶିକ୍ଷାବିକାଶ ସମିତି, କଳାହାଣ୍ଡି ବଣିକ ସଂଘ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସହଯୋଗ କରିଥିଲେ । ଯଦି ସରକାର ଏହି ଦାବିକୁ ଅଣଦେଖା କରନ୍ତି ତାହେଲେ ଆଗାମୀ ଦିନରେ ଦୃଢ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଦାବିକୁ ସରକାର ଯଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହୋଇଛି ।