
ଭୁବନେଶ୍ୱର, କରୋନାର ନୂଆ ଭାରିଆଂଟ ଚିହ୍ନଟ ହୋଇଥିବା ଦେଶରୁ ଯେଉଁମାନେ ଆସିବେ ବିମାନବନ୍ଦରରେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । ଯଦି ପଜିଟିଭ ଆସିଲା, ତାହେଲେ ସେମାନଙ୍କ ସାମ୍ପୁଲକୁ ଜେନଂ ସିକୁଏନ୍ସ ପାଇଁ ଆଇଏଲଏସକୁ ପଠାଯିବ । ସେହିପରି ଯେଉଁମାନେ ବିଦେଶରୁ ଫେରିବେ, ସେମାନେ ୧୦ ଦିନ ସଙ୍ଗରୋଧରେ ରହିବେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, କରୋନାର ନୂଆ ଭାରିଆଂଟ ପାଇଁ ରାଜ୍ୟ ସରକାରଖୁବ ଶୀଘ୍ର ଆଡ଼ଭାଇଜରି ଜାରି କରିବେ । ସମସ୍ତ ଜିଲ୍ଲାପାଳ, ସିଡ଼ିଏମଓ ଓ ମୁନସିପାଲିଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଫୋକସରେ ତିନି ‘ଟି’ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ସ୍କୁଲ କଲେଜରେ ଏବଂ ହଷ୍ଟେଲରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି । କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି । ସ୍କୁଲ କଲେଜ ହଷ୍ଟେଲରେ ସର୍ଭିଲାନ୍ସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି ସ୍କୁଲ ନ ଆସିବା ପାଇଁ କୁହାଯାଇଛି । ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବାକୁ ବି କୁହାଯାଇଛି ।
ଯେଉଁଠି ଅଧିକ ସଂକ୍ରମଣ ବାହାରିବ, ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ । ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ଯାଇପାରିବା ବୋଲି ସେ କହିଛନ୍ତି ।