ମାଲକାନଗିରି, ଭଙ୍ଗା ଦଦରା ଡଙ୍ଗାରେ ଭରାନଈ ପାର୍ ହେଉଛନ୍ତି ଶହ ଶହ ଲୋକେ । ପ୍ରତିଦିନ ଏଠି ବାଜିରେ ଲାଗୁଛି ଜୀବନ । କେତେବେଳେ କ’ଣ ହେବ କହିବା ମୁସ୍କିଲ । ଏସବୁ ପରେ ମଧ୍ୟ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଆଦିବାସୀ ଅଧୁଷିତ ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହେଉଛି ରାଜ୍ୟ ସରକାରଙ୍କ ବଡ଼ ବଡ଼ ଯୋଜନା, କେମିତି ଏଠାକାର ଲୋକେ ବିକାଶର ସିଡ଼ି ଚଢି ପାରିବେ ସେଥିପାଇଁ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଧାରଣ ମୌଳିକ ସୁବିଧା ପାଇବା ପାଇଁ ଏଠାକାର ଲୋକେ ପ୍ରତିଦିନ ସଂଘର୍ଷ କରୁଛନ୍ତି । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ତଣ୍ଡାବାଇ ପଞ୍ଚାୟତର କୁଟନପାଲି ନଦୀ ଘାଟର । ଏହି ବ୍ଲକର ଅନେକ ପଞ୍ଚାୟତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ସୀମାକୁ ଲାଗି ରହିଛି । ଏହି ପଡୋଶୀ ରାଜ୍ୟ ଉପରେ ଏଠାକାର ଲୋକେ ପ୍ରାୟତଃ ନିର୍ଭରଶୀଳ । ତେବେ ସେହି ରାଜ୍ୟକୁ ନିତିଦିନ ଶହ ଶହ ଲୋକେ ଯାତାୟାତ କରୁଥିବା ବେଳେ ସେଠାକୁ ଯିବା ରାସ୍ତାରେ ଗୋଟିଏ ପଟେ ସିଲେରୁ ଓ ଅନ୍ୟପଟେ ସାବେରୀ ନଦୀ ଅତିକ୍ରମ କରିବାକୁ ପଡ଼ିଥାଏ । ଏଠାକାର ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ସରକାର ମୋଟର ଚାଳିତ ବୋଟ୍ ଦେଇଥିବା ବେଳେ ବୋଟ୍ ଟି ଦୀର୍ଘଦିନ ଧରି ବ୍ୟବହାର ହେବା ସହ ମରାମତି ହେଉ ନ ଥିବାରୁ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବୋଟ୍ ଗୁଡିକର ମରାମତି କରିବା କିମ୍ବା ନୂତନ ବୋଟ୍ ଯୋଗାଇବା ପାଇଁ ସତେ ଯେମିତି ଭୁଲିଯାଇଛନ୍ତି ପ୍ରଶାସନିକ ଅଧିକାରୀମାନେ । ତେବେ ଏହି ବୋଟ୍ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ସେଥିରେ ପାଣି ପଶୁଥିବା ବେଳେ ଲୋକେ ବିପଦପୂର୍ଣ୍ଣ ଭାବରେ ସେହି ଭଙ୍ଗା ବୋଟ୍ରେ ଭରା ନଈ ପାର୍ ହେଉଛନ୍ତି । ଡଙ୍ଗାର ଅବସ୍ଥା କହିଲେ ନ ସରେ, ସମ୍ପୂର୍ଣ ନଷ୍ଟହେବାକୁ ବସିଲାଣି । ସରକାରୀ ନିୟମ ଅନୁଯାୟୀ ଡ଼ଙ୍ଗାରେ ଯାତ୍ରା କରୁଥିବା ଲୋକେ ଲାଇଫ୍ ଜ୍ୟାକେଟ ପିନ୍ଧିବା କଥା, ହେଲେ ଏଠାରେ ତାହା ଦେଖିବାକୁ ମିଳୁନାହିଁ । ଏ ଦୃଶ୍ୟ ଦିନେକି ଦୁଇଦିନର ନୁହେଁ ବରଂ ବର୍ଷ ବର୍ଷ ଧରି ଲୋକେ ଏହି ସାବେରୀ ନଦୀର ବିପଦପୂର୍ଣ୍ଣ ଜଳ ରାସ୍ତା ଦେଇ ପଡୋଶୀ ଛତିଶଗଡ଼କୁ ଯାଇଥାନ୍ତି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ଏମାନଙ୍କ ପାଖରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥିବା ବେଳେ ଏମାନେ ମୁଖ୍ୟତଃ ପଡୋଶୀ ଛତିଶଗଡ଼ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି । ସ୍ବାସ୍ଥ୍ୟ ସେବାଠୁ ଆରମ୍ଭ କରି ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଏଭଳି ପ୍ରତିଦିନ ବିପଦପୂର୍ଣ୍ଣ ଜଳଯାତ୍ରା କରନ୍ତି ଏଠାକାର ଲୋକେ ।
କାଳିମେଳା ବ୍ଲକର କୁଟନପାଲ୍ଲୀ ନଦୀଘାଟରେ ଥିବା ମୋଟରଚାଳିତ ଡଙ୍ଗା ଗତ ୨୦୧୫ ମସିହାରୁ କାର୍ଯ୍ୟରତ ରହିଥିବା ବେଳେ ଏନେଇ ଆମେ କାଲିମେଳା ବିଡିଓ ଉମାଶଙ୍କର ଦଳେଇଙ୍କୁ ପଚାରିବାରୁ ଏହି ଡ଼ଙ୍ଗାର ସ୍ଥିତି ବିଷୟରେ ପ୍ରଶାସନ ପାଖରେ ଖବର ନ ଥିବା ସେ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ସେ କୁଟନପାଲ୍ଲୀ ନଦୀଘାଟରେ ଏକ ନୂତନ ବୋଟ୍ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରଶାସନ ବେଳ ହୁଁ ସାବଧାନ ନ ହେଲେ କେତେବେଳେ ଯେ ଅଘଟଣ ଘଟିବ ତାହା କହିବା ମୁସ୍କିଲ ।