
ପୁରୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ବ୍ୟାରେଜ ଅଂଚଳର ଚାଷୀଙ୍କ ପାଇଁ ଲାଇଫ ଲାଇନ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକ, ଉପ ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ଓ ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଚଉଦ ମୌଜା ଚାଷୀଙ୍କ ପାଇଁ ବ୍ୟାରେଜ ନିର୍ମାଣ କରି କେନାଲ ଜରିଆରେ ବିଲକୁ ପାଣି ଛାଡ଼ିବା ବ୍ୟବସ୍ଥା କରିଥିଲେ । ଏବେ ସେହି ବ୍ୟାରେଜକୁ ଅଣଦେଖା କରିବା ସହ ଭାର୍ଗବୀ ନଦୀରେ ଭାସି ଆସୁଥିବା କଲିକତି ଦଳ ଏଠାରେ ଲାଗି ରହୁଛି । ଯାହାଫଳରେ ଜଳ ନିଷ୍କାସନରେ ବ୍ୟାଘାତ ସୃଷ୍ଟି ହେବା ସହ ପଟୁ ଜମିରେ ନଦୀ ଦିନକୁ ଦିନ ପୋତି ହେବାରେ ଲାଗିଛି । ବ୍ରହ୍ମଗିରି ଅଂଚଳରେ ବର୍ଷା ଦିନିଆ ଧାନ ଚାଷ ଜଳବନ୍ଦୀ ଯୋଗୁଁ ହୋଇପାରୁ ନାହିଁ । ଚାଷୀମାନେ ଖରା ଦିନିଆ ଧାନ ଚାଷ କରୁଛନ୍ତି । ଏଥିପାଇଁ କେନାଲ ପାଣି ଆବଶ୍ୟକ ହେଉଥିବା ବେଳେ ଭାର୍ଗବୀ ନଦୀରୁ ପାଣି କେନାଲକୁ ଯାଉନାହିଁ । ତୁରନ୍ତ ଜିଲ୍ଲା ପ୍ରଶାସନ, ଜନନେତା, ଜଳସେଚନ
ବିଭାଗ, ଡ଼୍ରେନେଜ ବିଭାଗ ଏ ଦିଗରେ ଦୃଷ୍ଟି ଦେବା ପାଇଁ ସେହି ଅଂଚଳର ଚାଷୀ ନେତା ଦୁର୍ଗାମାଧବ ତ୍ରିପାଠୀ, ପର୍ଶୁରାମ ପ୍ରଧାନ, ଆନନ୍ଦ ପ୍ରଧାନ, ଅର୍ଜୁନ ସାହୁ, ପ୍ରକାଶ ମଙ୍ଗରାଜ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଦାବି କରିଛନ୍ତି । ସାତ ଦିନ ମଧ୍ୟରେ ଏହି ସମସ୍ୟା ସମାଧାନ ନହେଲେ ରାସ୍ତା ରୋକ ସହ ହରତାଳ କରିବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି ।