ମାଲକାନଗିରି, ଲୋକଙ୍କୁ ହାତ ପାହାନ୍ତାରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରାଯିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ, ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଦାୟିତ୍ବରେ ଥିବା କିଛି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ଵ ହୀନ ମନୋଭାବ ଯୋଗୁଁ ଏବେବି ବହୁ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ପ୍ରାଥମିକ ସ୍ଵାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଲୋକଙ୍କ ଚିକତ୍ସା ନିମନ୍ତେ ଆବଶ୍ୟକ ହେଉ ଥିବା ଔଷଧ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ରହିବା ପାଇଁ ଗୃହ ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲେ ମଧ୍ୟ ଲୋକେ ପ୍ରାଥମିକ ଚିକିତ୍ସା ପାଇବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଥିବା ଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ସ୍ଵାସ୍ଥ୍ୟ ବିଭାଗର ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କାମବେଡା ସଦର ପଞ୍ଚାୟତର ଏମଭି – ୨୮ ଗ୍ରାମରେ ଥିବା ଏଏନଏମ୍ ସେଣ୍ଟରରେ । ତେବେ ପ୍ରାଥମିକ ଚିକତ୍ସା ପାଇଁ ଏହି ଏଏନଏମ କେନ୍ଦ୍ର ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏମଭି – ୨୮ ଗ୍ରାମରେ ପ୍ରାୟ ୧୦ ବର୍ଷ ପୂର୍ବେ ଏମଭି -୨୮, ତାଣ୍ଡିକୋଣ୍ଡା, ମାର୍କେଲଗୁଡା, କାମବେଡା, ଏମଭି ୪୯ ଆଦି ଗ୍ରାମ ଗୁଡିକରେ ବସବାସ କରୁଥିବା ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ହାତ ପାହାନ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଏହି ଏଏନଏମ ସେଣ୍ଟରଟି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିଲା । କିନ୍ତୁ, ବିଡ଼ମ୍ବନାର ବିଷୟ ଏହିକି ଯେ ଆଜିକୁ ପ୍ରାୟ ଦୀର୍ଘ ବର୍ଷ ହେବ ଉକ୍ତ କେନ୍ଦ୍ର ଦାୟିତ୍ବରେ ଥିବା ମହିଳା ସ୍ଵାସ୍ଥ୍ୟକର୍ମୀ ସରୋଜିନୀ ବେହେରା ଉକ୍ତ କେନ୍ଦ୍ରରେ ଆଦୌ ରହୁ ନଥିବାରୁ ଏବଂ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଅମୀୟ ମହାନ୍ତି ନିୟମିତ ଉକ୍ତ ଅଞ୍ଚଳକୁ ଯାଉନଥିବାରୁ ଏହି ଅଞ୍ଚଳର ଶିଶୁ, ଗର୍ଭବତୀ ମା ଏବଂ ବିଭିନ୍ନ ରୋଗୀ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ମହିଳା ସ୍ଵାସ୍ଥ୍ୟକର୍ମୀ ଜଣକ କେବଳ ପୋଲିଓ ଓ ଭେକସିନ ଦେବା ଦିନ ଆସି ହାଜିରା ପକାଇ ପଳାଇ ଯାଆନ୍ତି । ଆଉ ମାସ ସାରା ତାଙ୍କର କିମ୍ବା ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ଅଞ୍ଚଳରେ ପାଦ ପଡେନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ସ୍ଥଳେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଚିକିତ୍ସା କରାଇବା ନିମନ୍ତେ ଲୋକେ ନିରୁପାୟ ହୋଇ ଶେଷରେ ଗାଡି ଭଡ଼ା କରି ବହୁ ଖର୍ଚ୍ଚାନ୍ତ ହୋଇ କୋରୁକୋଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଥବା ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ପଡୁଛି ବୋଲି ଉକ୍ତ ଅଞ୍ଚଳର କୁଙ୍କୁମ ମଲ୍ଲିକ, ଆରତୀ ସରକାର, ସୀମା ବୈରାଗୀ, ଚିତା ବୈରାଗୀ, ଅନିମା ବୈରାଗୀ, ସୁଚିତ୍ରା ମଣ୍ଡଳ, ବିନୟ ମଲ୍ଲିକ, ଭୀଷ୍ମପଦ ମଣ୍ଡଳ, ବିପୁଲ ସିକଦାର, ପ୍ରଭାତ ବାରୋଇ, ନାରାୟଣ ବାରୋକ, ଅସୀମ ବାରୋଇଙ୍କ ସମେତ ଚିକିତ୍ସା ନିମନ୍ତେ ଉକ୍ତ କେନ୍ଦ୍ର ଉପରେ ନିର୍ଭର କରୁଥିବା ଅନ୍ୟାନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।