ଭୁବନେଶ୍ୱର, ଗୁରୁବାର ଦିନ ରାତ୍ରୀରେ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଅଂଚଳରେ ରାଜନୈତିକ ହିଂସା ଘଟଣା ପରେ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ।
ଗତ କାଲିର ଘଟଣା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ସୁରକ୍ଷିତ ନୁହନ୍ତି । ତାଙ୍କୁ ସୁରକ୍ଷା ପ୍ରଦାନ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର । ତେଣୁ ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ।
ରାଜ୍ୟରେ ସରକାରୀ ଦଳ ଘଟାଉଥିବା ହିଂସାକାଣ୍ଡ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ଏନେଇ ସନ୍ଦେହ କରିଛନ୍ତି ସାଂସଦ । ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଏହିଭଳି ଘଟଣା ଲାଗି ଦାୟୀ ବୋଲି ସେ କହିଛନ୍ତି ।
ଶ୍ରୀମତୀ ଷ଼ଡଙ୍ଗୀ କହିଛନ୍ତି ଯେ ବିଜେଡି ସରକାର ଗର୍ବ ଓ ଅହଙ୍କାରରେ ବୁଡ଼ିଛନ୍ତି । ପଶ୍ଚିମବଙ୍ଗର ଟିଏମସି ପଥରେ ରାଜ୍ୟ ସରକାର ଗତି କରୁଥିବା ସାଂସଦ କହିଛନ୍ତି । ଟିଏମସି ଯେଉଁଭଳି ପଶ୍ଚିମବଙ୍ଗରେ ହିଂସା ଭିଆଉଛି, ସେଭଳି ଓଡ଼ିଶାରେ ହିଂସା ବଢିବାରେ ଲାଗିଛି ବୋଲି ସେ କହିଛନ୍ତି । ତାଙ୍କୁ ଯେତେ ବିରୋଧ କଲେ ବି ସେ ରାଜ୍ୟସାରା ବୁଲି ଲୋକଙ୍କ ପାଇଁ କାମ କରୁଥିବା କହି ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।