-
ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ
ବଲାଙ୍ଗିର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛପଟ ହତ୍ୟାକାଣ୍ଡ ଘଟଣା ଏବେ ସାରା ସହରରେ ଆତଙ୍କ ସୃଷ୍ଟି କରିଛି । ଏହି ନୃଶଂସ ହତ୍ୟାକାଣ୍ଡର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଘଟିଥିବା ଏହି ଘଟଣାରେ ଅଭିଯୁକ୍ତଙ୍କ ଅମାନବିକତାର ସୀମା ଟପି ଯାଇଥିବା ଅନୁଭବ କରୁଛନ୍ତି ସହରବାସୀ । ଏଭଳି ଅପରାଧ ଯେ ଜନସମାଜରେ କେଉଁଭଳି ପ୍ରଭାବ ପକାଇବ, ତାହା ଅନୁମାନ ସାପେକ୍ଷ । ଅଭିଯୁକ୍ତ ଦୁହେଁ ଅମିତ୍ ଓ ଶୁଭମ୍ । ସେମାନେ ନୃଶଂସ ଭାବେ ବିଶ୍ୱଦେବଙ୍କୁ ହତ୍ୟା କରିବା ପରେ ତାଙ୍କୁ କିପରି ନିଆଁ ଲଗାଇ ଜାଳୁଛନ୍ତି, ତାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଦୃଶ୍ୟ ମଧ୍ୟ ଭିଡ଼ିଓରେ ଦେଖାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ବଲାଙ୍ଗିର ସହରର ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଏତେ ନୃଶଂସତା ଓ ଅମାନବୀୟତା ପୂରି ରହିଥିବା ଏହି ଭିଡ଼ିଓ ବାବଦରେ ତଥ୍ୟ ରଖିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଛାତି ଥରି ଯାଉଥିବା ବେଳେ ଏହା ଜନସମାଜ ଉପରେ କି ପ୍ରଭାବ ପକାଇବ, ତାହା ମଧ୍ୟ ଅନୁଭବ ସାପେକ୍ଷ ।ଏହି ହତ୍ୟାକାଣ୍ଡ ଏକ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ଘଟିଥିବା ପୋଲିସ ପ୍ରକାଶ କରିଛି । ବିଶ୍ୱଦେବର ହତ୍ୟା ତାର ନିଜ ସାଙ୍ଗ ମୋହିତ ଓ ଶୁଭମ୍ ମିଶି କରିଛନ୍ତି । ପ୍ରଥମେ ତାଙ୍କ ମୁଣ୍ଡକୁ ରଡ୍ ରେ ପିଟିଥିଲେ, ପରେ ବେକକୁ ଗୁପ୍ତିରେ କାଟି ହତ୍ୟା କଲା ପରେ ପେଟ୍ରୋଲ ଢାଳି ପୋଡି ଦେଇଥିଲେ । ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦେଶରେ ଜେଲ୍ ହାଜତ କୁ ପଠାଇ ଦିଆଯାଇଛି । ଏହି ଭିଡିଓ ଭାଇରଲ ହେବା ପରେ ସାଧାରଣରେ ଭୟ ଓ ଆତଙ୍କର ବାତାବରଣ ଖେଳି ଯାଇଛି । ଅନ୍ୟପକ୍ଷରେ ଏହି ଘଟଣା ପରେ ବଲାଙ୍ଗିର ସହରର ଆଇନ ଶୃଙ୍ଖଳା ପରିସ୍ଥିତି କେଉଁ ସ୍ଥିତିରେ ପହଂଚିଛି ତାହା ସହଜେ ଅନୁମେୟ ।