ବଲାଙ୍ଗିର, ମମିତା ମେହେରର ହତ୍ୟାକାଣ୍ଡକୁ ମାସେ ବିତି ଯାଇଥିଲେ ମଧ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ନ କରି ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ କରିଛି ବିଜେପି । ଏଥି ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଥିବା ଅଭିଯୋଗ ଆଣିଛି ବିଜେପି । ଆଜି ଏହି ପରିପ୍ରେକ୍ଷୀରେ ଦିନ ୧୧ଟା ସମୟରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ଏସପି ଅଫିସ ଠାରୁ କଚେରୀ ଛକ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳାର ଶବ (କୋକେଇ) ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ମହିଳା କର୍ମୀ ମାନେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ବିଭିନ୍ନ ସ୍ଲୋଗାନ୍ ଦେବା ସହ ମମିତା ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ସିଂହ ମିଶ୍ରଙ୍କ ଇସ୍ତଫା ନଚେତ୍ ବହିଷ୍କାର ଦାବି କରିଥିଲେ । ସେମାନେ କଚେରୀ ସମ୍ମୁଖ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିବା ସହ କୁଶରେ ତିଆରି ଶବକୁ ଦାହ କରିଥିଲେ । ବିଜେପି ମହିଳା ମୋର୍ଚ୍ଚାର ଅନେକ ସଦସ୍ୟା ଏଥିରେ ଯୋଗଦେଇ ଥିଲେ ।