ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ବିଭାଗର ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଛି ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ସମ୍ବିଧାନର ସୁରକ୍ଷା ନ ହେଲେ ଦେଶ ସୁରକ୍ଷିତ ହୋଇପାରିବ ନାହିଁ । ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ବିଧାନରେ ଥିବା ନିତି, ନିୟମ ଓ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ପ୍ରତ୍ୟେକ ନାଗରିକ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଥିଲେ ମଧ୍ୟ ଆଜି ତାହା ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି । ଆମେ ପ୍ରତ୍ୟେକ ନାଗରିକ ଏ ଦିଗରେ ସଚେତନ ରହି କାର୍ଯ୍ୟକରିବା ଦରକାର । ସମ୍ବିଧାନ ପ୍ରତି ସମ୍ମାନ ଜଣାଇ ଓ ଏହାର ସୁରକ୍ଷା ପାଇଁ ଆଜି ନେତୃବୃନ୍ଦ ଓ କର୍ମୀମାନେ ବୈଠକରେ ଶପଥ ନେଇଥିଲେ । ଉଦ୍ବୋଧନ ଦେଇ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବିଧାୟକ ବିପିନ ଦାସ, ଉପସଭାପତି ଶିବାନନ୍ଦ ରାୟ, ସସ୍ମିତା ବେହେରା, ରତ୍ନମଣି ଉଲ୍ଲାକା ଓ ପଦ୍ମାକର ଗୁରୁ ପ୍ରମୁଖ ଅନୁସୂଚୀତ ଜାତିର ଉନ୍ନତି ତଥା ସୁରକ୍ଷା ନିମନ୍ତେ ଉପାଦେୟ ପରାମର୍ଶମାନ ଦେଇଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ କଂଗ୍ରେସ ନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା, ରତ୍ନମଣି ଉଲ୍ଲାକା, ଜାନକୀ ମଲ୍ଲିକ ଓ ଦିନବନ୍ଧୁ ଅଧିକାରୀଙ୍କୁ ଏବଂ ଅନୁସୂଚିତ ଜାତି ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଜୟନ୍ତ ଭୋଇ, ନରୋତମ ନାୟକ, ତାପସ ସେଠୀ, ଶିବଶଙ୍କର ବେହେରା, ପ୍ରଫୁଲ୍ଲ ଦିଗଲ ଓ ଦେବେନ୍ଦ୍ର ପ୍ର୍ରସାଦ ଦାସଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ନାନିତ କରିଥିଲେ । ବୈଠକର ପ୍ରାରମ୍ଭରେ ଡ. ବି. ଆର ଅମ୍ବେଦକରଙ୍କ ପ୍ରତିମୂର୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।