ଭୁବନେଶ୍ୱର,୩ଟି କୃଷି ଆଇନ ଓ ୨୦୨୦ ବିଦ୍ୟୁତ୍ ସଂଶୋଧନ ଆଇନକୁ ବାତିଲ କରିବା ଏବଂ କୃଷକମାନଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଂଟି ପ୍ରଦାନ ସହ ଅନ୍ୟାନ୍ୟ ଦାବି ଉପରେ ଦିଲ୍ଲୀ ସୀମାନ୍ତରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନର ୧ବର୍ଷ ପୂର୍ତି ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ଅଖିଳ ଭାରତ କୃଷକ ସଭା, ଭାରତୀୟ କ୍ଷେତ ମଜଦୁର ୟୁନିୟନ ଓ ଅଖିଳ ଭାରତ ଟ୍ରେଡ଼ ୟୁନିୟନ କଂଗ୍ରେସ ତରଫରୁ ଶୁକ୍ରବାର ପୂର୍ବାହ୍ନରେ ଅଶୋକନଗରସ୍ଥିତ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଂଟିନ ଛକ ନିକଟରେ ପହଂଚିଥିଲା । ସେଠାରେ ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ, ଭାରତୀୟ କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସମ୍ପାଦକ ସୁର ଜେନା ଏବଂ ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା ଉଦ୍ବୋଧନ ଦେଇ କହିଥିଲେ କେବଳ କୃଷି ଆଇନ ପ୍ରତ୍ୟାହାର କରିନେଲେ ଚଳିବ ନାହିଁ ; କୃଷକମାନଙ୍କୁ ଏମ୍ଏସ୍ପିର ଆଇନଗତ ଗ୍ୟାରେଂଟି, ୨୦୨୦ ବିଦ୍ୟୁତ୍ ସଂଶୋଧନ ଆଇନର ପ୍ରତ୍ୟାହାର, ଐତିହାସିକ ଆନ୍ଦୋଳନରେ ଶହୀଦ ହୋଇଥିବା ୭୫୩ଜଣ କୃଷକ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଶହୀଦ ସ୍ମାରକୀ ନିର୍ମାଣ, ଆନ୍ଦୋଳନରତ କୃଷକମାନଙ୍କୁ ଗାଡ଼ି ତଳେ ଚପାଇ ହତ୍ୟା କରିଥିବା ଅପରାଧୀଙ୍କ ପିତା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ସହ ଗିରଫ କରିବା ଏବଂ ଆନ୍ଦୋଳନରତ କୃଷକମାନଙ୍କ ଉପରୁ ମକଦ୍ଦମା ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ।
ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ପାଇକରାୟ, କୈଳାସ ପୁହାଣ, ନାରୀନେତ୍ରୀ ନମିତା ସାହୁ ଓ ବିପ୍ଳବକେଶରୀ ମହାପାତ୍ର ପ୍ରମୁଖ ଏହି ଶୋଭାଯାତ୍ରା ଓ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।