ଭୁବନେଶ୍ୱର, ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଗୁରୁବାର ଦିନ କରୋନା ଏବେ ଲକ୍ଷଣ ବଦଳାଉଛି ବୋଲି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଛି । ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ୩୦ ଜଣ ସୁରକ୍ଷିତ ହୋଇପାରିବେ ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି । ଚିହ୍ନଟ ବ୍ୟକ୍ତିଙ୍କ ଠାରେ ସିଭିଅରିଟି କମ୍ ରହିଛି । ଭିମସାର ଓ ସୁନ୍ଦରଗଡ଼ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଂଚଳକୁ କେଂଟନମେଂଟ ଜୋନ ଘୋଷଣା କରାଯାଇଛି । ବାହାର ପିଲା ଭୁତରକୁ ପ୍ରବେଶ କରିବେ ନାହିଁ । କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି ।
ସେ କହିଛନ୍ତି ଯେ ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଥିବା କାରଣରୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଏଥିପାଇଁ ହଷ୍ଟେଲରେ ସ୍ୱତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି । ୪ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ ।
ସେ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ବର୍ତମାନ ବାହାରେ କୋଭିଡ ପ୍ରୋଟୋକାଲ ଲୋକମାନେ ମାନୁନାହାନ୍ତି । ଏହା ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି କରିପାରେ । ତେଣୁ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି । ଆବଶ୍ୟକତାଠାରୁ ଅଧିକ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି ।