ନୂଆପଡା,ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଆଞ୍ଚଳିକ ସାଧନ କେନ୍ଦ୍ର ଗୋବିନ୍ଦପୁର ଆନୁକୂଲ୍ୟରେ ମହେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋରଙ୍କୁ ଶିକ୍ଷକତା ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ସିଆରସିସି ଅତୁଳ କୁମାର ସୁପକାର ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟଅତିଥି ଭାବରେ ସିନାପାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ରୁଦ୍ରଶ୍ୱର ମେହେର, ମୁଖ୍ୟବକ୍ତା ଭାବେ ସିନାପାଲି ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷକ ସତ୍ୟବ୍ରତ ଗହୀର, ବାବୁଲାଲ ବାଗ, ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଯୋଗଦେଇ ଉଦବୋଧନ ଦେଇଛନ୍ତି । ବିଶିଷ୍ଟ ଅତିଥି ଭାବରେ ବିଦାୟୀ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ଆସିନଥିଲେ । ବିଦାୟୀ ବରିଷ୍ଠ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋର ୧୯୮୬ ମସିହାରୁ ଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘ ୩୬ ବର୍ଷକାଳ ନିରବଚ୍ଛିନ୍ନ ଭାବରେ ଶହଶହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି । ଶ୍ରୀ ବନ୍ଦିଛୋର ଜଣେ ସରଳ ନିଷ୍କପଟ ମିଷ୍ଟଭାଷୀ ମେଳାପୀ ସ୍ବଭାବର ବ୍ୟକ୍ତି ଅଟନ୍ତି । ସେ ଆଜି ଶିକ୍ଷକତା ଜୀବନରୁ ଅବସର ନେଉଥିବାରୁ ନିଶ୍ଚିତ ଭାବରେ ଶିକ୍ଷକ ସମାଜର ଏକ ଅପୁରଣୀୟ କ୍ଷତି ଘଟିଛି ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଶିକ୍ଷକ ଅଖିଳ ଚନ୍ଦ୍ର ବନ୍ଦିଛୋରଙ୍କୁ ଉପଢ଼ୌକନ ମାନପତ୍ର ପ୍ରଦାନ ସହ ତାଙ୍କର ଦୀର୍ଘାୟୁ କାମନା କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଟିକଧର ହରିଜନ, ରୁକ୍ମଣୀ ମାଝୀ, ଅମିତ ଯୋଶୀ, ଯୁଗେଶ୍ୱର ହରିଜନଙ୍କ ସମେତ ଗୋବିନ୍ଦପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଛନ୍ତି ।