-
କଂଗ୍ରେସ ପକ୍ଷରୁ କାରକେଡ୍ ଉପରକୁ ଅଣ୍ଡା ମାଡ ଓ କଳାପତାକା ପ୍ରଦର୍ଶନ
ପୁରୀ, ମମିତା ମେହେର ହତ୍ୟା ମାମଲା, ରତ୍ନଭଣ୍ଡାର ସୁରକ୍ଷା, ମାଟିଆପଡ଼ା ଓଭରବ୍ରିଜ ଓ ବିଭିନ୍ନ ସମସ୍ୟାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଡ଼ାକ୍ତରଖାନା ଛକ ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ ହୋଇଛି । ଶ୍ରୀକ୍ଷେତ୍ର ପରିକ୍ରମା ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ କଂଗ୍ରେସ କର୍ମୀ ମାନେ ବ୍ୟାରିକେଡ୍ ବାହାରେ ଛିଡା ହୋଇ କାରକେଡ୍ କୁ ଅଣ୍ଡା ମାଡ କରିଛନ୍ତି । କଡ଼ା ସୁରକ୍ଷା ଏବଂ ବ୍ୟାପକ ପୋଲିସ ମୁତୟନ ସତ୍ୱେ କଂଗ୍ରେସ ପକ୍ଷରୁ ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ କରାଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମାଳତୀପାଟପୁର ଛକ ନିକଟରେ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯିବା ସମୟରେ ସଦର ଥାନା ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ପକେଟରୁ ଅଣ୍ଡା ମିଳିଥିବା ସୂଚନା ମିଳିଛି । ଅଟକ ମାନଙ୍କ ମଧ୍ୟରେ ପୁରୀ ସଦର ଯୁବ କଂଗ୍ରେସ ସଭାପତି ପ୍ରେମଜିତ୍ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ସତ୍ୟ ବରାଳ, ସୁଜିତ ମହାପାତ୍ର, ରଜତ ସାହୁ, ଚେତନ ମିଶ୍ର, ଚନ୍ଦ୍ରଶେଖର କର, ଗୋପାଳ ମହାପାତ୍ରଙ୍କୁ ପୋଲିସ ଅଟକ ରଖିଛି ।ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତି ସତ୍ବେ କଂଗ୍ରେସ କର୍ମୀଙ୍କ ଏଭଳି ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ ପୋଲିସର ପାରିବାପଣିଆକୁ ପଦାରେ ପକାଇଛି ।