ପଟ୍ଟାମୁଣ୍ଡାଇ, କଟକ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନ ସଂସାରଫଳ ପ୍ରାଥମିକ କୃଷି ସମବାୟ ସମିତିରେ ହୋଇଥିବା ବ୍ୟାପକ ଅନିୟମିତତା ଓ ବେଆଇନ କାର୍ଯ୍ୟ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ସମିତିର ସମ୍ପାଦକ ସୁରେଶ ପାତ୍ର, ଦୀର୍ଘ ଦିନ ଧରି ବେଆଇନ ଭାବେ ଭୂମିହୀନ ଅଯୋଗ୍ୟ ହିତାଧିକାରୀଙ୍କୁ ଚାଷୀ ଦର୍ଶାଇ ଋଣ ପ୍ରଦାନ କରିବା, ଭୂତ ଚାଷୀଙ୍କୁ ଋଣ ଦେବା, ଗୋଟାଏ ପରିବାରର ଅନେକ ଜଣଙ୍କୁ ସମାନ ପ୍ରମାଣପତ୍ରରେ ଋଣ ପ୍ରଦାନ କରିଥିବା ଭଳି ସଂଗୀନ ଅଭିଯୋଗ ହୋଇଆସୁଥିଲା । ବ୍ୟାଙ୍କ ଓ ସମବାୟ ସମିତି ଗୁଡିକ ପାଇଁ ପ୍ରଣୟନ ହୋଇଥିବା ଆଇନ ଉଲ୍ଲଙ୍ଘନ କରି ସମ୍ପାଦକ ସୁରେଶ ପାତ୍ର ନିଜ ମନଇଚ୍ଛା ସମବାୟ ସମିତିକୁ ପରିଚାଳନା କରୁଥିବା ଅଭିଯୋଗ ରହିଛି । ଅନ୍ୟପଟେ ସଂସାରଫଳ କୃଷି ସମବାୟ ସମିତିରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ସୁଶାନ୍ତ ପ୍ରସାଦ ସାନନ୍ତରାୟ ଓ ଅନ୍ୟମାନଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ତଦନ୍ତ ଆରମ୍ଭ ହୋଇଛି । ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ କଟକ ଡିଭିଜନ-୨ ସମବାୟ ସମିତି ଲିଃ. ର ଉପନିବନ୍ଧକ ରୁଦ୍ର ପ୍ରସାଦ ଦାସଙ୍କ ନେତୃତ୍ବରେ ଗଠିତ ୫ ଜଣିଆ କମିଟି ଏହି କୃଷି ସମବାୟ ସମିତିର ଅନିୟମିତତାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ତଦନ୍ତରେ କଟକ ସମବାୟ ବ୍ୟାଙ୍କ ଲିଃ. ର ସମ୍ପାଦକ ଅଶୋକ କୁମାର ଦାସ, କଟକ ସର୍କଲ-୧ ସହକାରୀ ଅଡିଟର ଜେନେରାଲ ସୁନିତା ଶତପଥୀ, ଉପସହକାରୀ ନିବନ୍ଧକ ଅକ୍ଷୟ କୁମାର ସାହୁ ସଦସ୍ୟ ଥିବା ଜଣାପଡିଛି ।
ଅନ୍ୟପଟେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ଓ ତଦନ୍ତ ସମ୍ପୂର୍ଣ ହେବାପରେ ଏହାକୁ ସାର୍ବଜନୀନ କରାଯିବ ବୋଲି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ର ସମ୍ପାଦକ ଅଶୋକ କୁମାର ଦାସ କହିଛନ୍ତି ।