ଗଞ୍ଜାମ, ଗତ ୩ ସପ୍ତାହ ଧରି ଡିଜେଲ ଓ ପେଟ୍ରୋଲ ଦର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ହ୍ରାସ କରାଯାଇଥିବା ବେଳେ ଗଜପତିରେ ବସ୍ ଭଡ଼ା ଓ ଯାତ୍ରୀବାହୀ ଯାନବାହାନ ସବୁର ଟିକସ ଦର କମିବାର ନାମ ନେଉନାହିଁ । ଗଜପତି ଜିଲ୍ଲା ଓଡିଶାରେ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏହି ଅଂଚଳ ଉପାନ୍ତ ତଥା ସୀମାନ୍ତରେ ରହିଥିଲେ ମଧ୍ୟ ଏହି ଜିଲ୍ଲାର ଜନସାଧାରଣମାନେ ବହୁ ଅସୁବିଧାରେ ଜୀବନ କଟାଉଥିବାର ଦେଖିବାକୁ ମିଳୁଛି । ଗତ ୨ ବର୍ଷ ହେଲା ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ଏହି ସଂକ୍ରମଣ ଯୋଗୁଁ ସାଧାରଣ ଲୋକେ ବ୍ୟବସାୟ ବା ବୃତି ପ୍ରଭୃତି କ୍ଷେତ୍ରରେ ଉପାର୍ଜନ ହରାଇଛନ୍ତି । ଏପରି ସ୍ଥିତିରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୦ ଉପରେ ରହୁଛି । ସାଧାରଣ ଲୋକେ ବିଭିନ୍ନ ସ୍ଥାନକୁ ଯାତାୟତ କରିବାପାଇଁ ବ୍ୟବହାର କରୁଥିବା ଯାନବାହାନ ଗୁଡିକରେ ମଧ୍ୟ ଯାତ୍ରା କରିବା ସମୟରେ ବହୁ କଷ୍ଟରେ ଟିକସ ପୈଠ କରୁଛନ୍ତି ।
ସେମାନଙ୍କ କହିବା ଅନୁସାରେ, କିଛି ବର୍ଷ ହେଲା ଏପରି ତୈଳ ଦର ବୃଦ୍ଧି ଯୋଗୁଁ ଯାତ୍ରୀବାହୀ ଟିକଟର ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଯଦି ସରକାର ତୈଳ ଦର ୧୦ ଟଙ୍କା ଠାରୁ ଅଧିକ କମ୍ କରିଲେ ତେବେ ଗାଡିଚାଳକ ବା ମାଲିକମାନେ ସେମାନଙ୍କ ଟିକଟ ମୂଲ୍ୟକୁ କାହିଁକି ହ୍ରାସ କରୁନାହାନ୍ତି । ପ୍ରଥମେ ଏ ସମ୍ପର୍କିତ ତଥ୍ୟ ସୂଚନା ପରିବହନ ବିଭାଗରେ ରହିବ ଆବଶ୍ୟକ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନଥିବା ଏବଂ ବିଭାଗ ଠାରେ ମଧ୍ୟ ଗାଡି ଗୁଡିକର ଟିକଟ ମୂଲ୍ୟର କୌଣସି ଦର ତାଲିକା ସୂଚନା ଫଳକ ଉଲ୍ଲେଖ ନଥିବାର ମଧ୍ୟ ଅଭିଯୋଗ ଆସିଛି । ଗାଡି ମାଲିକମାନଙ୍କ ଏପରି ବୈମାତୃକ ମନୋଭାବକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ।ସୂଚନାଯୋଗ୍ୟ ଯେ, ଚଳିତ ମାସ ନଭେମ୍ବର ୩ ତାରିଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ ଓ ପେଟ୍ରୋଲ ଦରର ଅହେତୁକ ବୃଦ୍ଧିକୁ ନେଇ କେତେକ ଟ୍ୟାକ୍ସ କମାଇ ଦେଇଥିଲେ । ଯାହାଫଳରେ ୧୧୩ ଟଙ୍କା ଥିବା ପେଟ୍ରୋଲ ଏବଂ ୧୦୪ ଟଙ୍କା ଥିବା ଡିଜେଲ ଦର ଯଥାକ୍ରମେ ୧୦୪ ଓ ୯୭କୁ ଖସି ଆସିଥିଲେ ମଧ୍ୟ ବସ୍ ଭଡ଼ା କିମ୍ବା ଅନ୍ୟାନ୍ୟ ମାଲବାହୀ ଗାଡିଗୁଡିକର ଭଡ଼ା କମି ନଥିବାରୁ ବଜାର ଦର କିମ୍ବା ବସ୍ ଟିକଟ ଆଜି ପର୍ଯ୍ୟନ୍ତ କମିନାହିଁ । ଗଞ୍ଜାମ ଜିଲାରେ ସମଦଶା, ଯହାଫଳରେ ବଜାର ଦରଦାମ ସହ କାର୍ ଭଡ଼ା, ଅଟୋରିକ୍ସା, ଟ୍ରାକ୍ଟର ଭଡ଼ା, ଟ୍ରକ୍ ଭଡ଼ା ଆଦି ପୂର୍ବଭଳି ରହିଥିବାରୁ ଲୋକେ ଆଜି ବି ସେହି ପୁରୁଣା ଦରରେ ପୈଠ କରୁଛନ୍ତି । ଯାହା ଫଳରେ ଦରଦାମ ପୂର୍ବଠାରୁ ବହୁ ଗୁଣା ପାରଦ ଭଳି ଚଢିବାରେ ଲାଗିଛି । ଅନେକ ସମୟରେ କଣ୍ଡକ୍ଟରମାନେ ଯାତ୍ରୀମାନଙ୍କ ଠାରୁ ନିର୍ଦ୍ଧାରିତ ଠାରୁ ଅଧିକ ଭଡ଼ା ଆଦାୟ କରୁଛନ୍ତି, ହେଲେ ଯାତ୍ରୀଙ୍କୁ ବସ୍ ଟିକେଟ୍ ଦେଉନାହାନ୍ତି । ଏଥିପ୍ରତି ସ୍ଥାନୀୟ ଆଂଚଳିକ ପରିବନ ବିଭାଗ କି ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇପଡିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।