ଭୁବନେଶ୍ୱର – ସ୍ତନକର୍କଟ ଭଳି ଦୂରାରୋଗ୍ୟ ବ୍ୟାଧିଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏହାର ଭୟାବହତା ସମ୍ପର୍କରେ ଆମେ ସମସ୍ତେ ଅବଗତ । ତେବେ ଚିକିତ୍ସା ବିଜ୍ଞାନର ଉନ୍ନତି ଓ ଅଗ୍ରଗତି ସହ ଏହାର ନିଦାନ ସମ୍ଭବ ହୋଇପାରିଛି । ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ, ଉପଯୁକ୍ତ ପରୀକ୍ଷା, ସଠିକ୍ ଚିକିତ୍ସା, ଔଷଧ ସେବନ ଓ ସୁଷମ ପୁଷ୍ଟିକର ଖାଦ୍ୟ ଦ୍ୱାରା ଏହାକୁ ରୋକାଯାଇପାରିବ । ଏ କ୍ଷେତ୍ରରେ ଜନସଚେତନତା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି ।
କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟିଜ, ଓଡ଼ିଶା ଷ୍ଟେଟ କାଉନସିଲ, ଆମ୍ରି ହସପିଟାଲ ଓ ନୋଭାର୍ଟିସ ଫାର୍ମା ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍ତନ କର୍କଟ ସମ୍ପର୍କିତ ଓଡ଼ିଶା ରିଜିଓନାଲ ରାଉଣ୍ଡ ଟେବୁଲ୍ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଆଜି ମୋ ସରକାର କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ଜନସାଧାରଣଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ତତ୍ପର ଅଟନ୍ତି । ସରକାର ଆଗାମୀ ଦିନରେ ଜିଲ୍ଲାସ୍ତରରେ କର୍କଟ ରୋଗ ନିରୂପଣ କେନ୍ଦ୍ର ଓ ଚିକିତ୍ସା ବ୍ୟବସ୍ଥା ପାଇଁ ଯୋଜନା କରିଛନ୍ତି । ସରକାର ଝାରସୁଗୁଡ଼ା ଠାରେ ପିପିପି ମୋଡ଼ରେ କର୍କଟ ନିଦାନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଘରୋଇ ମେଡ଼ିକାଲରେ କର୍କଟ ଚିକିତ୍ସା ଖର୍ଚ୍ଚ ବ୍ୟୟବହୁଳ ହୋଇଥିବାବେଳେ ସରକାରଙ୍କ ନୂତନ ଯୋଜନା ଦ୍ୱାରା ସମସ୍ତେ ଏହାର ସୁଫଳ ପାଇପାରିବେ ।
ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରି ସିଆଇଆଇ, ଓଡ଼ିଶା ଷ୍ଟେଟ୍ କାଉନସିଲର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ ମହାନ୍ତି କହିଲେ ଯେ, ଏଭଳି ଏକ ରାଉଣ୍ଡ ଟେବୁଲ ବୈଠକ ଦ୍ୱାରା ପ୍ରମୁଖ ଯୋଜନା ପ୍ରଣୟନକାରୀ, ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ସଂସ୍ଥା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କିପରି ସ୍ତନ କର୍କଟ ଭଳି ମାରାତ୍ମକ ବ୍ୟାଧିକୁ ରୋକାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇପାରିବ ଏବଂ ଏହାର ନି୍େକର୍ଷ ବାହାରିପାରିବ ।
ବୈଠକରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା. ଆର.ଆର. ଶତପଥୀ କହିଲେ ଯେ ଭାରତରେ ସ୍ତନ କର୍କଟ ତା’ର କାୟା ବିସ୍ତାର କରିଚାଲିଛି । ପ୍ରାୟ ୫୪ ପ୍ରତିଶତ ଭାରତୀୟ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଡ଼ଭାନ୍ସଡ ଷ୍ଟେଜରେ ପହଂଚି ସାରିଥିବାବେଳେ ୩୦ ପ୍ରତିଶତ ଅତି ମାରାତ୍ମକ ଅବସ୍ଥାକୁ ଆସିଯାଇଛନ୍ତି । ୪୦ବର୍ଷ ବୟସରୁ ଅଧିକ ବୟସର ମହିଳାମାନଙ୍କ କ୍ଷେତ୍ରରେ ସ୍ତନ ର୍କକଟର ଆଶଙ୍କା ଅଧିକ । ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ସଚେତନତାର ଅଭାବ ଯୋଗୁଁ ଏହାର ପ୍ରାଦୁର୍ଭାବ ବୃଦ୍ଧି ପାଇଥାଏ । ସର୍ବଭାରତୀୟ ସ୍ତରଠାରୁ ଓଡ଼ିଶାରେ ସ୍ତନ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ଅଧିକ । ହାରାହାରି ଭାବେ ୨୮ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କଠାରେ ଜୀବନକାଳ ମଧ୍ୟରେ ସ୍ତନ କର୍କଟ ହେବାର ସମ୍ଭାବନା ରହିଛି । ସହରାଂଚଳରେ ଏହି ହାର ୨୨ ଜଣରେ ଜଣେ ଥିବାବେଳେ ଗ୍ରାମାଂଚଳରେ ୬୦ ଜଣଙ୍କ ମଧ୍ୟରୁ ଜଣଙ୍କ ଠାରେ ଏହି ରୋଗର ସମ୍ଭାବନା ରହିଛି ।
ଏହି କାର୍ଯ୍ୟକ୍ରମରେ ନୋଭାର୍ଟିସ୍ ଫାର୍ମାର ଯୋଜନା ଓ ମାଧ୍ୟମ ମୁଖ୍ୟ ପ୍ରଭାତ କୁମାର ସିହ୍ନା, ଡା. ସତ୍ୟ ଅଗ୍ରୱାଲ, ଡା. ଦିନେଶ ପେଣ୍ଡାରକର ପ୍ରମୁଖ ଉପସ୍ଥିତ ରହି ସ୍ତନ କର୍କଟର ନିଦାନ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶେଷରେ ଆମ୍ରି ହସପିଟାଲର ୟୁନିଟ୍ ହେଡ ଡା. ଅନୁଜ ତିୱାରୀ ଧନ୍ୟବାଦ ଅର୍ପଣ କରିଥିଲେ ।