କନ୍ଧମାଳ, ଅବକାରୀ ବିଭାଗର ହେପାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଶିରିପଡ଼ା ଅଂଚଳରେ ଉତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ମାଶିରିପଡ଼ା ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ଗ୍ରାମବାସୀ । ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ଅନ୍ତିମ ସଂସ୍କାର ନିମନ୍ତେ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏବଂ ଅଣଆନୁଷ୍ଠାନିକ ଭାବେ ମୃତକଙ୍କ ପରିବାରକୁ ଅବକାରୀ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଅବକାରୀ ବିଭାଗ ମାଶିରିପଡ଼ା ଅଂଚଳର ଅମିତ କୁମାର ମୁଖି (୨୨)ଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ଫୁଲବାଣୀ ଅଣାଯାଇଥିଲା । ଫୁଲବାଣୀରେ ଅମିତ ଅବକାରୀ ବିଭାଗ କାର୍ଯ୍ୟାଳୟର ଛାତ ଉପରୁ ଡେଇଁ ପଡି ଗୁରୁତର ହୋଇଥିଲେ । ପରେ ଫୁଲବାଣୀ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।