ଭୁବନେଶ୍ୱର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାରେ ଭୂଦାନ ଆନ୍ଦୋଳନର ପ୍ରବର୍ତକ, ବିଶିଷ୍ଟ ଜନନାୟକ, ରାଷ୍ଟ୍ରନୀତିଜ୍ଞ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ବିଧାନସଭା ତରଫରୁ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ରୂପେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର, ସମ୍ମାନିତ ଅତିଥି ରୂପେ ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ବାଚସ୍ପତି ଡ଼ଃ ପାତ୍ର ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ମୂଲ୍ୟବୋଧ ଭିତିକ ରାଜନୀତିର ପ୍ରବର୍ତକ ଭାବେ ବର୍ଣ୍ଣନା କରି ଦୀନଦୁଃଖୀ, ଦରିଦ୍ର, ନିଷ୍ପେଷିତ ଓ ଅବହେଳିତଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସେ ସର୍ବଦା ସଂଗ୍ରାମ କରି ଆସୁଥିଲେ ବୋଲି ମତ ଦେଇଛନ୍ତି । କୃତଜ୍ଞ ଓଡ଼ିଆ ଜାତିର ହୃଦୟରେ ସେ ଚିର ଅମର ରହିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉତ୍କଳ ସମ୍ମିଳନୀ ସଭାପତି ଦିଲ୍ଲୀପ ଦାଶଶର୍ମା, ସମ୍ପାଦକ ଆଦିତ୍ୟ ପାତ୍ର ଏବଂ ବିଧାନସଭାର ଅଧିକାରୀବୃନ୍ଦ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଧାନସଭା ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ ଏବଂ ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ ।