ଭୁବନେଶ୍ୱର, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟର(ଓକାକ୍) ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସପ୍ ହ୍ୟାକ କରି ୭ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଓକୁଉଦିରି ପାଶ୍ଚାଲ । ଦିଲ୍ଲୀ ପୋଲିସ ନାଇଜେରିଆନ ଗ୍ୟାଙ୍ଗର ଏହି ଠକକୁ ବେଙ୍ଗାଲୁରୁରୁ ଗିରଫ କରିଛି ।
ଅଭିଯୁକ୍ତଙ୍କ ଠାରୁ ପୋଲିସ ୭ ଟି ଏଟିଏମ କାର୍ଡ, ୪ ଟି ମୋବାଇଲ ଏବଂ କିଛି ସିମ କାର୍ଡ ଜବତ କରିଛି । ମାମଲାର ଅଧିକ ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ୮ ଦିନିଆ ରିମାଣ୍ଡରେ ନେଇ ପଚାଉଚରା କରୁଛି । ତେବେ ଏହି ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଓଡ଼ିଶା କ୍ରାଇମ ବ୍ରାଂଚର ଏକ ୨ ଜଣିଆ ଟିମ୍ ବେଙ୍ଗାଲୁରୁ ଯିବ । ସିଇଓଙ୍କ ଠାରୁ କିପରି ଠକେଇ କଲେ ସେନେଇ ପଚରାଉଚରା କରିବ । ଆବଶ୍ୟକ ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଂଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ପୂର୍ବରୁ ତାଙ୍କର ଜଣେ ସହଯୋଗୀଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଥିଲା । ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୋଲିସ୍ ବାଙ୍ଗାଲୋରରେ ପହଂଚି ଅଭିଯୁକ୍ତ ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ଧରିଥିଲା ।
ସୂଚନାଯୋଗ୍ୟ, ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ୍ ହ୍ୟାକ୍ କରି ସାଇବର ଲୁଟେରା ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଟଙ୍କା ମାଗିଥିଲେ । ଏପରିକି ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ସମ୍ପର୍କୀୟ ତଥା ବନ୍ଧୁବାନ୍ଧବ ୫ ଜଣ ୭ ଲକ୍ଷ ଟଙ୍କା ଦେଇଥିଲେ । ସେମାନେ ବ୍ୟାଙ୍କ ଆକାଉଂଟ ଓ ୟୁପିଆଇରେ ଟଙ୍କା ଦେଇଥିଲେ । ସତ ପଦାକୁ ଆସିବା ପରେ ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଥିଲେ । ମନୋଜ ପଟ୍ଟନାୟକ ନିଜେ ମଧ୍ୟ ଥାନାରେ ଏତଲା ଦେଇଥିଲେ ।