ବାଲେଶ୍ୱର, ରିଷ୍ଟ ଖଣ୍ଡନ ବାହାନାରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବଡ଼ବଜାରରେ ଏହି ଲୁଟ୍ ହୋଇଛି । ଆଜି ଦିନ ପ୍ରାୟ ୧ଟା ସମୟରେ ଏହି ଘଟଣା ଘଟିଛି ।
ମହିଳାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସେ ତାଙ୍କ ବାପଘରକୁ ଆସିଥିଲେ । ବଡ଼ବଜାର ନିକଟରେ ମହିଳା ଜଣକ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଦୁଇ ଜଣ ବାଇକ୍ ଆରୋହୀ । ମହିଳାଙ୍କୁ ଭବିଷ୍ୟତ ବାଣୀ କରିବା ସହ ଆଗକୁ ତାଙ୍କ ଜୀବନରେ ଅନେକ ଅସୁବିଧା ଆସିବାକୁ ଥିବା କହିଥିଲେ । ଏପରିକି ରିଷ୍ଟ ଖଣ୍ଡନ ବାହାନାରେ ସେ ପିନ୍ଧିଥିବା ସୁନାଗହଣା ଖୋଲି ଏକ ବ୍ୟାଗରେ ରଖିବାକୁ କହିଥିଲେ । ମହିଳା ଜଣକ ଏଥିରେ ବିଶ୍ୱାସ କରି ତାଙ୍କର ସମସ୍ତ ସୁନାଗହଣା ଖୋଲି ଏକ ବ୍ୟାଗ୍ ରେ ରଖିଥିଲେ । ଏହାପରେ ସମ୍ପୃକ୍ତ ଦୁଇ ଦୁର୍ବୃତ ତାଙ୍କୁ ନିକଟସ୍ଥ ଦୋକାନରୁ କର୍ପୂର ଆଣିବାକୁ ପଠାଇଥିଲେ । ଏବଂ ଏହି ସମୟରେ ସେମାନେ ଗହଣା ଭର୍ତି ବ୍ୟାଗ୍ କୁ ନେଇ ପଲସର୍ ବାଇକ୍ ଯାେଗେ ସେଠାରୁ ଚମ୍ପଟ୍ ମାରିଥିଲେ । ଲୁଟ୍ ଅଳଙ୍କାର ମଧ୍ୟରେ ଏକ ୨୪ ଗ୍ରାମ୍ ର ସୁନାହାର, ଦୁଇଟି ହୀରାମୁଦି ଓ କାନର ସୁନା ରିଙ୍ଗ ରହିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ସିସିଟିଭି ଫୁଟେଜକୁ ଭିତି କରି ଛାନଭିନ୍ ଜାରୀ ରଖିଛି ।