ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୁଞ୍ଜଗୁଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ୬ ବସ୍ତା ଧାନ ପୋଡ଼ି ପାଉଁଶ ହୋଇଯାଇଛି ।
ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟାରେ କୁଞ୍ଜଗୁଡ଼ା ଗ୍ରାମର କୋଷା କାମରାମଙ୍କ ଘରେ ସର୍ଟ ସର୍କିଟ୍ ଯୋଗୁ ଅଚାନକ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ଘର ଭିତରେ ଥିବା ବିଭିନ୍ନ ଆସବାବପତ୍ର, ଜମିଜମା କାଗଜ, ନଗଦ ଟଙ୍କା ସମେତ ୬ ବସ୍ତା ଧାନ ପୋଡ଼ି ଯାଇଥିଲା । ଏପରିକି କୋଷାଙ୍କ ପଡ଼ୋଶୀ ଘରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଏନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ ପଡିଆ ଅଗ୍ନିଶମ ଅଧିକାରୀ ଶିଶିରକାନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାର ପ୍ରଶାନ୍ତ କୁମାର ମାଝୀ ଏକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିସହ ଅଗ୍ନିଶମ କର୍ମଚାରୀ କୋଷାଙ୍କ ରୋଷେଇ ଘରୁ ଗ୍ୟାସ୍ ହାଣ୍ଡି, ଚୁଲା ଓ ବିଭିନ୍ନ ରୋଷେଇ ସାମଗ୍ରୀ ଉଦ୍ଧାର କରିଥିଲେ । ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇ ନଥିବାବେଳେ କୋଷା କାମରାମ ସର୍ବହରା ହୋଇ ପଡ଼ିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ କୋଷା କାମରାମଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।