
ମାଲକାନଗିରି,ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ୧୪ଟି ୱାର୍ଡକୁ ନେଇ ଗଠିତ । ଏହି ପଞ୍ଚାୟତରେ ଏ ପର୍ଯ୍ୟନ୍ତ ମୋବାଇଲ ଟାୱାର ନଥିବାରୁ ପଞ୍ଚାୟତ ଭିତରେ ଥିବା ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ମାଟେରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବାକୁ ପଡୁଥିବାରୁ ଏହି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରୁ ୪ କିଲୋମିଟର ଦୂର ଚାଲି ଚାଲି ଜଙ୍ଗଲ ଭିତରକୁ ଯାଇ ଗଛ ମୂଳରେ ବସି ପାଠ ପଢୁଛନ୍ତି । ଛତିଶଗଡ଼ ରାଜ୍ୟର ନେଟୱାର୍କ ଉପରେ ନିର୍ଭର କରି ଏମାନେ ପରୀକ୍ଷା ଦେଉଛନ୍ତି । ତେବେ ଚାଲି ଚାଲି ଆସୁଥିବାରୁ କଷ୍ଟ ଲାଗୁଛି ଓ ଜଙ୍ଗଲ ଭିତରେ ସାପ ଓ ଜୀବଜନ୍ତୁ ଆକ୍ରମଣର ଭୟ ରହୁଥିବାରୁ ଡର ଲାଗୁଛି ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି । ମାଟେରୁ ପଞ୍ଚାୟତରେ ମୋବାଇଲ ଟାୱାର ଯୋଗାଇଦେଲେ ଆମେ ଆଉ ଜଙ୍ଗଲକୁ ନଯାଇ ସ୍କୁଲରେ ଅନଲାଇନରେ ପାଠ ପଢିପାରନ୍ତୁ ବୋଲି ପିଲାମାନେ ଦାବି କରିଛନ୍ତି । ତେଣୁ ପଞ୍ଚାୟତରେ ମୋବାଇଲ ଟାୱାରର ବ୍ୟବସ୍ଥା କରିବାକୁ ପିଲାମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।