ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କରାଯାଇଛି । ଓଡ଼ିଶା ଜୀବିକା ମିଶନର କାଲିମେଳା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ରୋଜାଲିନ ଦାସଙ୍କ ପ୍ରୟାସରେ ପ୍ରଥମ ଥର ଲାଗି ବିଭିନ୍ନ ପଞ୍ଚାୟତର ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଅଟୋ ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଚିନ୍ତଲୱାଡା, କାଙ୍ଗୁରକୋଣ୍ଡା, ଗୁମୁକା ଓ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କରାଯାଇଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସ୍ୱୟଂ ସହାୟକ ଗୃପ୍ ନିଜ ଇଚ୍ଛା ଅନୁସାରେ ଯେକୌଣସି କମ୍ପାନୀର ଅଟୋ ଚୟନ କରିବେ ଏବଂ ଏସଏଚଜି ଆକାଉଣ୍ଟକୁ ବିନା ସୁଧରେ ସେହି ଅଟୋର ମୂଲ୍ୟ ପ୍ରଦାନ କରାଯିବ । ଏହି ଋଣକୁ ସହଜ କିସ୍ତି ଆକାରରେ ଶୁଝିବା ପାଇଁ ବ୍ୟବସ୍ଥା କରାଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର ପବିତ୍ର ମୋହନ ବାରା ଯୋଗଦେଇ ଅଟୋ ପ୍ରଦାନ କରିଥିଲେ । ଅତିରିକ୍ତ ବିଡିଓ ବସନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାଲିମେଳା ଅଞ୍ଚଳ ପାଇଁ ଏହି ବ୍ୟାଟେରୀ ଚାଳିତ ଅଟୋ ନୂଆ ହୋଇଥିବାରୁ ଏଗୁଡ଼ିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।