ମାଲକାନଗିରି, ମାଲକାନଗିରି ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା । ଶିଳ୍ପ ନଥିବାରୁ ସର୍ବାଙ୍ଗୀନ ଉନ୍ନତି, ନିଯୁକ୍ତି ଆଦି କ୍ଷେତ୍ରରେ ଏହି ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ ପଛରେ ପଡିଛି । ଆଜି କିନ୍ତୁ ଓଡିଶାର ପ୍ରଥମ କରି ସ୍ଵଚ୍ଛ ବାୟୋ ଇନ୍ଧନ ତୈଳ ଉତ୍ପାଦନ ଶିଳ୍ପର ପ୍ରତିଷ୍ଠାନର ଭୂମି ପୂଜନ ଅନୁଷ୍ଠିତ ହୋଇଛି । ମାଲକାନଗିରି ଜିଲ୍ଲାର ପଡିଆ ବ୍ଳକ ସିମିଳିବାଞ୍ଛା ପଞ୍ଚାୟତର ସୋନାଲୀ ଗ୍ରାମର ଜଳଦୂତ ଭାବେ ପରିଚିତ ଉତ୍ତମ ମଲ୍ଲିକ ନାମକ ଯୁବକ ଏମ୍ସିଏଲ୍ ସହାୟତାରେ ନିଜ ଗ୍ରାମରେ ୩୦ ଏକର ଜମିରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଆଜି ଭୂମି ପୂଜନ କରିବା ସହ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମି ପୂଜା ଏବଂ ଶିଳାନ୍ୟାସ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ବିଜୁ ଜନତା ଦଳର ଉପଦେଷ୍ଟା ଦୁର୍ଗା ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପଣ୍ଡା, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି, ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡକାମି, ମୁମ୍ବାଇରୁ ଆସିଥିବା ଏମ୍ସିଏଲ କମ୍ପାନୀର ଡିଜିଏମ ପ୍ରକାଶ, ଭୁବନେଶ୍ବରର ଏମ୍ସିଏଲ୍ ଉନ୍ନୟନ ଅଧିକାରୀ ରତନ ରଞ୍ଜନ ବେହେରାଙ୍କ ସହ ପଡିଆ ଏବଂ କାଲିମେଳା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବୁଦ୍ଧିଜୀବୀ ଏବଂ ୧୦୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ଗ୍ରାମର ଚାଷୀ ମାନେ ଉପସ୍ଥିତ ଥିଲେ । ବିଶେଷ କରି ଏହି ଶିଳ୍ପ ପ୍ରତିଷ୍ଠା ଦ୍ଵାରା ମାଲକାନଗିରି ଜିଲ୍ଲାରେ ପ୍ରତ୍ୟେକ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରଜାତିର ହାପି ଘାସ ଚାଷ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଚାଷୀ ମାନେ ଏହି ଘାସ ଚାଷ କରି ଧାନ ଚାଷ ଠାରୁ ଅଧିକ ଆର୍ଥିକ ଲାଭ ପାଇବା ସହ ଏହି ଘାସକୁ ସ୍ଥାନୀୟ ଶିଳ୍ପ କେନ୍ଦ୍ରରେ ବିକ୍ରି କରିବେ । ଯେଉଁଥିରୁ ସ୍ବଚ୍ଛ ଇନ୍ଧନ ପ୍ରସ୍ତୁତ କରାଯିବ । ଯାହାକି ଆମ ଜିଲ୍ଲା ସହ ଓଡିଶାର ଅନ୍ୟାନ୍ୟ ସହରକୁ ଏହି ଇନ୍ଧନ ରପ୍ତାନି କରାଯିବ । ଏହାପରେ ତୈଳ ବାହାର ହୋଇ ସାରିଥିବା ଘାସ ଗୁଡିକୁ ପୁନଃ ଜୈବିକ ସାର ପ୍ରସ୍ତୁତି ପାଇଁ ବ୍ୟବହାର କରାଯିବ । ବର୍ତ୍ତମାନ ତୈଳ ଦର ଅହେତୁକ ବୃଦ୍ଧି ଏବଂ ଆଗାମୀ ଦିନରେ ତୈଳ ସଙ୍କଟକୁ ଆଖି ଆଗରେ ରଖି ଓଡିଶାରେ ପ୍ରଥମ କରି ମାଲକାନଗିରି ଜିଲ୍ଲାରେ ଏହି ଶିଳ୍ପ ପ୍ରତିଷ୍ଠା କରାଯାଇଛି । ଆଗାମୀ ଜାନୁଆରି ୨୬ ତାରିଖ ଦିନ ଏହି ଶିଳ୍ପ ପ୍ରତିଷ୍ଠାନ ନିଜର ଉତ୍ପାଦନ ପ୍ରକ୍ରିୟାର ଶୁଭାରମ୍ଭ କରିବ । ଯେଉଁ ଚାଷୀ ମାନେ ପୂର୍ବରୁ କମ୍ପାନୀ ତରଫରୁ ଏହି ହାପି ଘାସ ଚାଷ କରିଛନ୍ତି ସେମାନେ ତୁରନ୍ତ ଶିଳ୍ପ କେନ୍ଦ୍ରକୁ ଘାସ ଯୋଗାଇବାପାଇଁ ଶ୍ରୀ ମଲ୍ଲିକ ଆହ୍ବାନ ଦେଇଛନ୍ତି । ଏହାଦ୍ଵାରା ମାଲକାନଗିରି ଜିଲ୍ଲାରେ ୩୦ ହଜାରରୁ ଉର୍ଦ୍ଧ୍ବ କର୍ମ ନିଯୁକ୍ତି ସହ ଲକ୍ଷାଧିକ ଚାଷୀ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ଏଥିରେ ସହଯୋଗ କରି ଶିଳ୍ପ ବିହୀନ ମାଲକାନଗିରି ଜିଲ୍ଲାରେ ପ୍ରଥମ କରି ଏହି ସ୍ବଚ୍ଛ ଇନ୍ଧନ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ । ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାରେ କର୍ମ ନିଯୁକ୍ତି ସହ କୃଷକ ମାନଙ୍କ ଦ୍ରୁତ ଅଗ୍ରଗତି ଏବଂ ସୁଲଭ ମୂଲ୍ୟରେ ଇନ୍ଧନ ନିଜ ଯାନବାହାନରେ ବ୍ୟବହାର ସହ ରନ୍ଧନ ଗ୍ୟାସ ମଧ୍ୟ ସୁଲଭ ମୂଲ୍ୟରେ ପାଇପାରିବେ । ଏହି ଅବସରରେ ଆଜି ଜିଲ୍ଲାର ୨୩ ଜଣ କୃଷକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ଉପଦେଷ୍ଟା ତଥା ସମାଜସେବୀ ରାଜେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ଶେଷରେ ଜଳଦୂତ ଉତ୍ତମ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।