-
ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ,ସଫଳ କରିଛି ସ୍ମାର୍ଟ ହେଲ୍ଥ କାର୍ଡ – ମୁଖ୍ୟମନ୍ତ୍ରୀ
-
କନ୍ଧମାଳରେ ୫୦୦ କୋଟିର ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ଠିକ୍ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ
-
କନ୍ଧମାଳରେ ୨୭୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୬ ଲକ୍ଷ ୫୦ ହଜାର ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୧୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଓ ଜୈବିକ ଫସଲ ପାଇଁ କନ୍ଧମାଳ ଜିଲ୍ଲାର ଖୁବ୍ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ହେଉଛି ସୁନାର ଭୂମି । ଜୈବିକ ଫସଲ ବିଶେଷ କରି କନ୍ଧମାଳ ହଳଦୀ ଆଜି ସାରା ଦେଶରେ ଏକ ଲୋକପ୍ରିୟ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା ଲାଭ କରିଛି । ଜୈବିକ ଫସଲ ପାଇଁ ଏବେ ଆଗ୍ରହ ବଢୁ ଥିବାରି ଏ କ୍ଷେତ୍ରରେ କନ୍ଧମାଳର ବହୁତ ସୁଯୋଗ ରହିଛି ବୋଲି ସେ କହିଥିଲେ । ସେହିପରି ଇକୋ ଟୁରିଜିମ୍ ପାଇଁ ମଧ୍ୟ କନ୍ଧମାଳ ସାରା ଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏ ଦୁଇ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ କାମ କରୁଛନ୍ତି ବୋଲି କହିଥିଲେ ।ଆଜି କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ଏଥିରେ ଭିତିଭୂମି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ । ଏହି ଅବସରରେ ୫୦୪ କୋଟି ଟଙ୍କା ବିନିଯୋଗରେ କନ୍ଧମାଳରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ ଯେ ଏଥିରେ ବର୍ଷକୁ ୧୦୦ ଜଣ ପିଲା ଡାକ୍ତରୀ ପାଠ ପଢିପାରିବେ । ମେଡିକାଲ କଲେଜ ନିର୍ମାଣ କାମ ଠିକ୍ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ବିଜୁ ସେତୁ ଯୋଜନାରେ ୧୨୦ କୋଟି ଟଙ୍କା ବିନିଯୋଗରେ ୬୯ ଗ୍ରାମ ପଂଚାୟତରେ ଯୋଗାଯୋଗର ଉନ୍ନତି କରାଯାଇଛି । ଏହାଦ୍ୱାରା ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ବାଲିଗୁଡାରେ ନିର୍ମାଣାଧୀନ ୨୨୦/୩୩ କେଭି ଗ୍ରୀଡ୍ ଷ୍ଟେସନ୍ ଖୁବ୍ ଶିଘ୍ର ଶେଷ ହେବ ।ଏହାଦ୍ୱାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗିବାଡି ଓ ବାଲିଗୁଡା ବ୍ଲକର ୭୦ ହଜାର ପରିବାର ଉପକାର ପାଇବେ । ଏହାଦାରା ପାଇପ ପାଣି ଯୋଗାଣରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହି କାର୍ଯ୍ୟକ୍ରମରେ ପଂଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି ବୋଲି କହିଥିଲେ ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେତେକ ହିତାଧିକାରୀଙ୍କୁ ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।