
ଖୋର୍ଦ୍ଧା, ମାରଣା ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯିବା ବେଳେ ହାତୀର ପାଲଟା ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୪ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ ଫରେଷ୍ଟର ଟାଙ୍ଗୀ ରେଞ୍ଜ୍ ର ସିଦ୍ଧୁ ସିଂ, ଖୋର୍ଦ୍ଧା ଏସିଏଫ୍ ଅରବିନ୍ଦ ମହାନ୍ତି ଓ ଟ୍ରାଙ୍କୁଲାଇଜ୍ ଟିମ୍ ର ୨ ଜଣ ସଦସ୍ୟ । ତେବେ ହାତୀକୁ ମୁଣ୍ଡା ଆମ୍ବ ଜଙ୍ଗଲରେ ଭୋର୍ ସମୟରେ କରାଯାଇଥିଲା ଟ୍ରାଙ୍କୁଲାଇଜ୍ । ହାତୀକୁ ଟ୍ରାଙ୍କୁଲାଇଜ୍ ର କିଛି ସମୟ ପରେ ବନ କର୍ମଚାରୀ ହାତୀ ନିକଟକୁ ଯିବା ବେଳେ ହାତୀଟି ସେମାନଙ୍କ ଉପରେ ପାଲଟା ଆକ୍ରମଣ କରିଥିଲା । ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଦଉଡି ପଳାଇବା ବେଳେ ଏଭଳି ଅଘଟଣ ଘଟିଥିଲା । ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ ଏବେ ସୁସ୍ଥ ଥିବା ବେଳେ ଜଙ୍ଗଲ ମଧ୍ୟକୁ ପଳାଇଯାଇଥିବା ସୂଚନା ମିଳିଛି । ତେବେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜ୍ ଗୟାବନ୍ଧ ନିକଟ ମୁଣ୍ଡା ଆମ୍ବ ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଟାଙ୍ଗୀ ବନଖଣ୍ଡରେ ହାତୀ ଉପଦ୍ରବ ବଢୁଥିବାରୁ ହାତୀ ସୁରକ୍ଷା ଓ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରୟାସ କରାଯାଉଥିଲା । ବନ ବିଭାଗ ପକ୍ଷରୁ ଗୋଟିଏ ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଟ୍ରାଙ୍କୁଲାଇଜ୍ ବେଳେ ହାତୀ ପାଲଟା ଆକ୍ରମଣ କରିବାରୁ ଜଣେ ଫରେଷ୍ଟର ସହ ୪ ଗୁରୁତର ଆହତ ହୋଇପଡିଥିଲେ ।