ଭୁବନେଶ୍ୱର, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାଜ୍ୟବ୍ୟାପୀ ପ୍ରତିବାଦ ଆରମ୍ଭ କରିଛି ବିଜେଡି । ଆନ୍ଦୋଳନର ପ୍ରଥମ ଦିନରେ ବିଜେଡି ପକ୍ଷରୁ କଟକ ସ୍ଥିତ ଆରଡିସି ଅଫିସ୍ ଘେରାଉ କରାଯାଇଛି । ଏହାସହ ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହିପରି ବିଜୁ ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ଭୁବନେଶ୍ୱରର ୩ଟି ସ୍ଥାନରେ ପ୍ରତିବାଦ ସଭା କରାଯାଉଛି । ଚନ୍ଦ୍ରଶେଖରପୁର ସ୍ଥିତ ଆଇଓସିଏଲ କାର୍ଯ୍ୟାଳୟ, ୟୁନିଟ ୫ ସ୍ଥିତ ଏଡିଏମ୍ କାର୍ଯ୍ୟାଳୟ ସମ୍ମୁଖ ଓ କଳ୍ପନା ଛକରେ ଥିବା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି । ବିଜେଡି କର୍ମୀ ଗ୍ୟାସ୍ ଟାଙ୍କି ଧରି ପ୍ରତିବାଦ କରୁଛନ୍ତି । ଏହା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚୁଲି ଜାଳି ପ୍ରତିବାଦ ଜଣାଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଏଲପିଜି ସିଲିଣ୍ଡରର ଦରବୃଦ୍ଧି ପ୍ରତିବାଦରେ ବିଜେଡିଂ ପକ୍ଷରୁ ତିନି ଦିନିଆ ଆନ୍ଦୋଳନ ଡାକରା ଦିଆଯାଇଛି । ତିନିଟି ଯାକ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରି ସ୍ମାରକପତ୍ର ଦେବାକୁ ବିଜେଡି ଘୋଷଣା କରିଛି ।